ବିଧବାଙ୍କ ସହିତ ଚୋରା ପୀରତି ମହଙ୍ଗା ପଡିଲା ଯୁବକଙ୍କୁ, ଥାନାରେ ସ୍ତ୍ରୀ ଭାବେ କଲେ ଗ୍ରହଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଚୋରଘର ସବୁଦିନ ଅନ୍ଧାର ନ ଥାଏ । ବିଧବା ମହିଳାଙ୍କ ସହିତ ଚାଲିଥିବା ପରକୀୟା ପ୍ରୀତି ଧରା ପଡିବା ପରେ ଥାନାରେ ଉଭୟ ପ୍ରେମୀ ଯୁଗଳ ଲିଖିତ ରାଜିନାମାରେ ବିବାହ କରିବାକୁ ରାଜି ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅଧିନ କୁଟାସିଂହା ଗ୍ରାମରେ । ସୂଚନା ଅନୁସାରେ କୁଟାସିଂହା ଗ୍ରାମର ଉଗ୍ରେସନ ମେହେରଙ୍କ ପୁଅ ଗତ ତିନିବର୍ଷ ତଳେ ମନମୁଣ୍ଡା ଅଞ୍ଚଳର ଜଗନ୍ନାଥ ମେହେରଙ୍କ ଝିଅ ପିଙ୍କିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ ପ୍ରାୟ ୧୦ ମାସ ତଳେ ଉଗ୍ରେସନଙ୍କ ପୁଅଙ୍କ ଅକାଳ ମୃତ୍ୟୁ ହୋଇଥିଲା । ତା’ ପରଠାରୁ ପିଙ୍କି ନିଜ ଶ୍ୱଶୁର ଉଗ୍ରେସନଙ୍କ ଘରେ ରହି ଆସୁଥିଲେ । ତେବେ ଇତି ମଧ୍ୟରେ ନିଜ ପଡ଼ୋଶୀ ଥିବା ଗ୍ରାମର ଜନୈକ ଯୁବକଙ୍କ ସହିତ ପିଙ୍କିଙ୍କ ଅନୈତିକ ସମ୍ପର୍କ ଗଢି ଉଠିଥିଲା । ଗତକାଲି ଉଗ୍ରେସନଙ୍କ ଆଖିରେ ନିଜ ବୋହୂର ଏଭଳି ସମ୍ପର୍କ ଧରା ପଡିବା ପରେ ଗାଁ ଲୋକଙ୍କ ସହାୟତାରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଥାନାରେ ଆଲୋଚନା ତଥା ବିଚାର ବିମର୍ଷ ହେବା ପରେ ସଂପୃକ୍ତ ଯୁବକ ଜଣକ ପିଙ୍କିଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ରାଜି ହୋଇଥିବା ଜଣାପଡିଛି । ଏ ନେଇ ଏକ ରାଜିନାମା ଥାନାରେ ଲେଖାଯିବା ସହିତ ଅଳ୍ପଦିନ ମଧ୍ୟରେ ଉଭୟ କୋର୍ଟ ମେରେଜ୍‌ କରିବେ ବୋଲି ଲୋଇସିଂହା ଥାନା ଅଧିକାରୀ ବାମଦେବ ଶଙ୍ଖୁଆଳ ସୂଚନା ଦେଇଛନ୍ତି । ପିଙ୍କିଙ୍କ ବର୍ଷକର ଏକ ପୁତ୍ର ସନ୍ତାନ ଥିବାବେଳେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

18 − 13 =