pakka

ସରକାରଙ୍କ ବସୁଧା ଯୋଜନା ବିଧାୟକଙ୍କ ବ୍ଲକରେ ଫେଲ ମାରିଥିବା ଅଭିଯୋଗ : ଜଳକଷ୍ଟ ଯୋଗୁଁ ଲୋକେ ପିଉଛନ୍ତି ଗୋଳିଆ ପାଣି

kalikesh

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସରକାରଙ୍କ ବସୁଧା ଯୋଜନା ଫେଲ୍ । ଗ୍ରାମବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ । ଦୂଷିତ ଚୂଆ ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ତୃଷ୍ଣା । ଏଭଳି ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକ୍ କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ପଞ୍ଚାୟତର ସାରକେତା ଗାଁରୁ । ଦୀର୍ଘ ବର୍ଷ ପରେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ମିଳୁନି । ବିଶୁଦ୍ଧ ପାନୀୟ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ହେଲେ ଏଯାବତ୍ ସମସ୍ୟାର ସମାଧାନ ହୋଇପାରି ନାହିଁ । କୁଡୁତୁଲି ପଞ୍ଚାୟତ ସାରକେତା ଗାଁର ନିମାପଡ଼ା, ଖଲିଆପଦର ଓ ବାଲିପଙ୍କାଲ ଅଞ୍ଚଳରେ ପାଖାପାଖି ୩୦ ବର୍ଷ ହେବ ୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ହେଲେ ଏମାନେ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି ବୋଲି ମତ ପ୍ରକାଶ ପାଉଛି । କେବଳ ପାନୀୟ ଜଳ ନୁହେଁ ବରଂ ପ୍ରଶାସନିକ ଅବହେଳା ଓ ଆନ୍ତରିକତା ଅଭାବରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୀର୍ଘ ବର୍ଷ ପରେ ଗାଁରେ ଏକ ନଳକୂପ ନୂତନ ଭାବେ ଖୋଳା ଯାଇଛି ସତ କିନ୍ତୁ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ଏହାହିଁ ବୟାନ କରୁଛି ପ୍ରଶାସନର କେତେ ଆନ୍ତରିକତା ଅଛି ଏ ଅଞ୍ଚଳବାସୀଙ୍କ ପାଇଁ ? ଜଳ ହିଁ ଜୀବନ ଏଣୁ ବାଧ୍ୟ ହୋଇ ପ୍ରତି ଦିନ ଦୁଇ କିଲୋମିଟର ବାଟ ଯାଇ ଗ୍ରାମବାସୀଙ୍କ ଦ୍ୱାରା ବିଲ ମଝିରେ ଖୋଳା ଯାଇଥିବା କୂଅର ଗୋଳିଆ ପାଣିକୁ ବ୍ୟବହାର କରିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅଜଣା ରୋଗରେ ପଡ଼ୁଛନ୍ତି । ଏ ତ ଗଲା ଜଳ କଷ୍ଟ । ବିଦ୍ୟୁତ୍ କଥା ନକହିବା ଭଲ । ବିଦ୍ୟୁତ୍ ଆଲୋକ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ, ରାଜନେତା ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ନିଜ ବ୍ଲକରେ ଏଭଳି ସମସ୍ୟା ଥିବା ସତ୍ତ୍ୱେ ତାଙ୍କର ଏଥିପ୍ରତି ନିଘା ନାହିଁ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ତୁରନ୍ତ ପ୍ରଶାସନ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇ ପଡ଼ିଛି ।

pp
Leave A Reply

Your email address will not be published.

1 × three =