pakka

ଜାଲ ସାର୍ଟିଫିକେଟ ପ୍ରସ୍ତୁତିରେ ସହଯୋଗୀ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଖାଇ ସମ୍ପାଦକ ପଦବୀ ହାତେଇଥିବା ରାକେଶ ସାହୁ ଓ ଜାଲ୍ ସାର୍ଟିଫିକେଟ୍ ଯୋଗାଇଥିବା ଲକ୍ଷ୍ମଣ ପଟେଲକୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଝାରବନ୍ଧ ବ୍ଲକରେ କାର୍ଯ୍ୟରତ ଖଟିଖିଆ ସଙ୍ଗଠନ ଡଭା ପେକ୍ସରେ ରାକେଶ ସାହୁ ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ସମ୍ପର୍କରେ ପ୍ରଥମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଆଜକୁ ଚାରି ମାସ ତଳେ ମାଟ୍ରିକ ସାର୍ଟିଫିକେଟକୁ ଜାଲ କରି ଜାଲ ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ବିଷୟରେ ଜଗଦଲପୁର ଥାନାରେ ଅଭିଯୋଗ ହୋଇଥିଲା । ଚାକିରିରୁ ନିଲମ୍ବିତ କରାଯାଇଥିଲା ହେଲେ ଗିରଫ କରାଯାଇ ନଥିଲା । ଜାଲ ସଂପାଦକ ରାକେଶ ସାହୁଙ୍କ ଆଗୁଆ ଜାମିନକୁ ମାନ୍ୟବର ହାଇକୋର୍ଟ ତିନି ମାସ ପୂର୍ବରୁ ଖାରଜ କରିଥିଲେ । ହେଲେ ଜାଲ ସଂପାଦକ ରାକେଶ ସାହୁ ଖୋଲା ଆରାମରେ ବୁଲୁଥିବାରୁ ଖଟିଖିଆ ସଂଗଠନ ଝାରବନ୍ଧ ଜାଲ ସଂପାଦକକୁ ଗିରଫ ଦାବୀରେ ଜଗଦଲପୁର ଥାନା ଘେରାଉ ଓ ଧାରଣା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିଲା । ପରେ ଜଗଦଲପୁର ପୋଲିସ ରାକେଶ ସାହୁଙ୍କୁ ଗିରଫ କରିଥିଲା । ଅନ୍ୟପଟେ ରାକେଶ ସାହୁଙ୍କୁ ପୋଲିସ ଗିରଫ କରିଥିବାରୁ ଖଟିଖିଆ ସଂଗଠନ ଥାନା ଘେରାଉ ଓ ଧାରଣାକୁ ସ୍ଥଗିତ କରିଛି । ପରବର୍ତ୍ତୀ ତଦନ୍ତରୁ ସାର୍ଟିଫିକେଟ୍ ଲଖମରା ନିକଟସ୍ଥ ମହୁଲପାଲି ଗ୍ରାମର ଲକ୍ଷ୍ମଣ ପଟେଲ ଦେଇଥିବାରୁ ଧାରା ୪୨୦, ୪୬୮, ୪୭୧/୩୪ରେ ମାମଲା ରୁଜୁ କରି ଭଣ୍ଡାରପୁରୀ ନିବାସୀ ଜାଲ ସଂପାଦକ ରାକେଶ ସାହୁ ଏବଂ ଜାଲ ସାର୍ଟିଫିକେଟ ପ୍ରଦାନ କରିଥିବା ଲଖମରା ମହୁଲପାଲିର ଲକ୍ଷ୍ମଣ ପଟେଲଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

19 − 9 =