ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ବିଧାନସଭା ଘେରାଓ

ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ବିଧାନସଭାରେ ବିକ୍ଷୋଭ ସହ ଘେରାଓ
ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ୧୪ ବିଇଡି ମହାବିଦ୍ୟାଳୟ, ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ଏବଂ ୭୦,୦୦୦ ସିଟି, ବିଇଡି ଆଶାୟୀ ଶିକ୍ଷକମାନଙ୍କ ନିଯୁକ୍ତି ଦାବୀ ନେଇ ଗତକାଲି ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଭୁବନେଶ୍ୱର ଠାରେ ଓଡିଶା ବିଧାନସଭା ଘେରାଓ ସହ ବିକ୍ଷୋଭ କରି ଦାବୀପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ପ୍ରଦାନ କରାଯାଇଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ, ଓଡିଶା ପ୍ରାଥମିକ ବିଦ୍ୟାଳୟ ବଂଚାଓ ସମିତି ଅଧ୍ୟକ୍ଷ ନୟନ ମିର୍ଦ୍ଧା, ଭିଆଇପି ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁକାନ୍ତ କୁମାର ମହାପାତ୍ର, ମହାସଚିବ ନରେନ୍ଦ୍ର ପଟେଲ, ପ୍ରଦେଶ ସଚିବ ଶ୍ରୀମତୀ ସୁଧାଂଶୁବାଳା ମିଶ୍ର, ବଲାଙ୍ଗିର ଜିଲ୍ଲା ଅଧ୍ୟକ୍ଷଙ୍କ ନେତୃତ୍ୱରେ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତି ଫେରେଇ ନେବା ପାଇଁ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ଦାବୀରେ ଶତାଧିକ ଭିଆଇପି କାର୍ଯ୍ୟକର୍ତ୍ତା, ଆଶାୟୀ ଶିକ୍ଷକ ଏବଂ ଅଭିଭାବକମାନେ ବିଧାନସଭା ସମ୍ମୁଖରେ ଉପରୋକ୍ତ ଦାବୀପୂରଣ ପାଇଁ ସ୍ୱର ଉତ୍ତୋଲନ କରି ବିକ୍ଷୋଭ କରିଛନ୍ତି । ଭାରତର ନୀତି ଆୟୋଗ, ଭାରତ ସରକାରଙ୍କ ନିର୍ଦ୍ଦେଶରେ ଓଡିଶା ସରକାର ଓଡିଶାର ୧୪୫୦୦ ପ୍ରାଥମିକ ବିଦ୍ୟାଳୟ, ଏନସିଟିଇ କେନ୍ଦ୍ର ସରକାର ନିର୍ଦ୍ଦେଶରେ ୧୪ ବିଇଡି ମହାବିଦ୍ୟାଳୟ ଏବଂ ଭାରତ ସରକାର ଘରୋଇକରଣ ନୀତି ନିର୍ଦ୍ଦେଶରେ ଓଡିଶା ସରକାର ଦ୍ୱାରା ୩୦୦ କୃଷି ଭିତ୍ତିକ ଶିଳ୍ପ, ଶୀତଳ ଭଣ୍ଡାର, ଜଳସେଚନ ବନ୍ଦ ବିରୁଦ୍ଧରେ ଏବଂ ପ୍ରଦେଶର ୭୦,୦୦୦ ସିଟି, ବିଇଡି ଆଶାୟୀ ଶିକ୍ଷକମାନଙ୍କ ନିଯୁକ୍ତି ଦାବୀରେ ୨୭ ନଭେମ୍ବର ୨୦୨୦ ବିଧାନସଭା ସାମନାରେ ବିକ୍ଷୋଭ କରାଯାଇ ଏବଂ ଆସନ୍ତା ୩୦.୧୨.୨୦୨୦ ଦିନ ଏହାର ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଗ୍ରାମୀଣ ଅଭିଭାବକ ମାନେ ଗରିବ ଶ୍ରମିକ, କୃଷକ ଶ୍ରେଣୀର ହୋଇଥିବାରୁ ନିଜ କୁନି କୁନି ପିଲାଛୁଆଙ୍କୁ ଅନ୍ୟ ଗ୍ରାମ ୨ ରୁ ୫କି.ମି ଦୂରକୁ ନେବା ଆଣିବା ସମ୍ଭବ ହେବନାହିଁ ବୋଲି ଚିନ୍ତାରେ ପଡିଯାଇଛନ୍ତି । ୧୪୫୦୦ ବିଦ୍ୟାଳୟର ଲକ୍ଷ ଲକ୍ଷ ଗ୍ରାମୀଣ ସ୍ଥାନୀୟ ଛାତ୍ରଛାତ୍ରୀ ସର୍ବଶିକ୍ଷା ଅଭିଯାନ ତଥା ରାଷ୍ଟ୍ରୀୟ ସାମ୍ବିଧାନିକ ମୁକ୍ତ ଏବଂ ବାଧ୍ୟତାମୂଳକ ମୌଳିକ ଶିକ୍ଷା ଅଧିକାରରୁ ବଂଚିତ ହୋଇଯିବେ । ଗାଁ ଗାଁରେ ଡ୍ରପ୍‌ ଆଉଟ୍‌ ବଢିଯିବ, ବାଳ ଶ୍ରମିକ ବଢିଯିବ, ସହର ଏବଂ ଗ୍ରାମୀଣ ଶିକ୍ଷା ସୁଯୋଗରେ ପାର୍ଥକ୍ୟ ଦେଖାଯିବ । ସ୍ୱାଧୀନତା ପୂର୍ବରୁ ଗ୍ରାମୀଣମାନଙ୍କୁ ଶିକ୍ଷାରୁ ବଂଚିତ କରିବା ନୀତି ପୁଣି ଥରେ ଭାରତରେ ଲାଗୁ ହୋଇଯିବ । କେନ୍ଦ୍ର ମୋଦୀ ସରକାର ଓଡିଶାର ନବୀନ ସରକାରଙ୍କୁ ସ୍କୁଲ ବନ୍ଦ କରି ନିଜ ବିଜେପି ସରକାର ଗଠନ କରିବା ପାଇଁ ଚାପ ଦେଉଛି । ଓଡିଶା ସରକାରଙ୍କ ଏକ ତରଫା ୧୪୫୦୦ ଗୋଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ସମ୍ବିଧାନିକ ମୌଳିକ ଅଧିକାର ଶିକ୍ଷା ଅଧିନିୟମ ବିରୁଦ୍ଧରେ ଯାଉଛି ଏବଂ ଆସନ୍ତା ମାସରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଓଡିଶା ଉଚ୍ଚ ନ୍ୟାୟଳୟରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ପିଆଇଏଲ ଦାଏର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.