ଗଞ୍ଜାଉଡାର ସଂରକ୍ଷିତ ଜଙ୍ଗଲରେ ହତ୍ୟା ଘଟଣା

  • କଣ୍ଟାବାଞ୍ଜି ଏ.ଡି.ଜେ.ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅଭିଯୁକ୍ତଙ୍କୁ ଆଜିବନ କାରାଦଣ୍ଡ ସହ ୩୦ହଜାର ଟଙ୍କା ଯୋରିମାନା ଅନାଦେୟ ହେଲେ ଅଧିକ ୩ବର୍ଷ କାରାଦଣ୍ଡ

କଣ୍ଣାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତୁରେକେଲା ଥାନା ଅଧିନସ୍ଥ ମହୁଲପାଟି ନିକଟସ୍ଥ ଗଞ୍ଜାଉଡାର ରିଜର୍ଭ ଫରେଷ୍ଟରେ ଏକ ଝୁଲନ୍ତା ମୃତ ଦେହ ଏକ ଗଛରୁ ପୋଲିସ ଖବର ପାଇ ଗତ ତା.୧୫.୪.୨୦୨୨ରୀଖରେ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ପୋଲିସ କେସ ନଂ. ୬୮/୨୦୨୨ ରୁଜୁ କରି ଅଧିକ ତଦନ୍ତ କରି ପରବର୍ତି ସମୟରେ ଅଭିଯୁକ୍ତମାନଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା । ଯାହା ଆଜି ସୋମବାର ଦିନ ମାନ୍ୟବର କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତାଙ୍କ ଗୁରୁତ୍ୱପୂର୍ଣ୍ଣ ରାୟରେ ଅଭିଯୁକ୍ତକୁ ଆଜିବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ତିନି ବର୍ଷ ଜେଲ ହାଜତ୍‌ରେ ଅଭିଯୁକ୍ତ ସଜା କାଟିବେ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକ ତାଙ୍କ ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ତୁରେକେଲା ଥାନା ମହୁଲପାଟି ପଂଚାୟତ ପାଣ୍ଡେପଡା ନିକଟସ୍ଥ ଗଞ୍ଜାଉଡାର ସଂରକ୍ଷିତ ଜଂଗଲର ଏକ ଗଛରେ ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଝୁଲୁଥିବାର ସେହି ଗାଁର ଘନଶ୍ୟାମ ପାଣ୍ଡେ, କରୁଣାକର ପାଣ୍ଡେ ଓ ଜିତେନ୍ଦ୍ର ଖର୍ସେଲ ଓମ୍‌ପ୍ରକାଶ ସାହୁଙ୍କୁ ଜଣାଇଥିଲେ । ଏହା ପରେ ଓମ୍‌ପ୍ରକାଶ ଘଟଣାସ୍ଥଳକୁ ଯାଇ ଥାନାରେ ଅଭିଯୋଗ କରିଥିଲେ । ତୁରେକେଲା ପୋଲିସ ମାମଲା ରୁଜୁ କରି ଅଧିକ ଅନୁସଂଧାନ ପରେ ଲାଠୋର ଥାନା ବୁଢାଛାପର ଗାଁର ମଦନ ବାଗ(୩୭) ଓ ସୁନାମୁଦି ଗାଁର ଲଲିତ ହଂସ(୩୫)କୁ କୋର୍ଟ ଚାଲାଣ କରିଥିଲେ । ଉଭୟେ ଗତ ୧୯.୪.୨୦୨୨ରୁ ସ୍ଥାନୀୟ ଉପକାରାଗାରରେ ବିଚାରଧିନ କଏଦି ଭାବେ ଥିଲେ । ଦଫା ୩୦୨/୨୦୧/୩୪ ଆଇ.ପି.ସି. ମତେ ମାନ୍ୟବର ଅଦାଲତ ୨୯ଜଣ ସାକ୍ଷ୍ୟଙ୍କ ପ୍ରମାଣ ପରେ ମଦନ ବାଗଙ୍କୁ ନିର୍ଦ୍ଧୋଶ ରୂପେ ଖଲାସ କରିଥିବା ବେଳେ ଲଲିତ ହଂସକୁ ଆଜିବନ କାରାଦଣ୍ଡ ସହ ଦଫା ୩୦୨ରେ କୋଡିଏ ହଜାର ଟଙ୍କା ଏବଂ ୨୦୧ ଦଫାରେ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ତିନି ବର୍ଷ ଲଲିତ ହଂସ ଜେଲ୍‌ ହାଜତରେ ସଜା କାଟିବେ ବୋଲି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଅଭିଯୁକ୍ତଙ୍କ ତରଫରୁ ବରିଷ୍ଠ ଆଇନଜୀବି ବିଷ୍ଣୁପ୍ରସାଦ ଶର୍ମା ଏବଂ ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ କାନନ କିଶୋର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.

2 × 4 =