ଗୁରୁଣ୍ଡି ଗୁରୁଣ୍ଡି ହସ୍ପିଟାଲ୍‌ ବାହାରେ ରାସ୍ତାରେ ବୁଲୁଛନ୍ତି ରୋଗୀ : କର୍ତ୍ତୃପକ୍ଷଙ୍କ ନିଘା ନାହିଁ, ଉଦ୍ଧାର କରି ହସ୍ପିଟାଲ୍‌ରେ ପୁଣି ଭର୍ତ୍ତି କରାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ କିମ୍ବା ଅଜଣା ଅସହାୟ ରୋଗୀଙ୍କୁ ଉଦ୍ଧାର କରି ଯେକୌଣସି ବ୍ୟକ୍ତି ଜଣେ ଆସିକି ଚିକିତ୍ସା ନିମନ୍ତେ ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରି ଚାଲିଯାଉଛନ୍ତି । ଅପରିଚିତ ଅସହାୟଙ୍କ ନାମ ଠିକଣା ତ ଜଣା ନ ପଡିବା ଠିକ୍‌ କଥା, କିନ୍ତୁ ଯିଏ ଆସିକି ହସ୍ପିଟାଲ୍‌ରେ ଭର୍ତ୍ତି କରି ଚାଲି ଯାଉଛନ୍ତି ତାଙ୍କର ଯୋଗାଯୋଗ ଠିକଣା ମଧ୍ୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ରହୁନାହିଁ । ଫଳରେ ସେହିପରି ରୋଗୀଙ୍କ ଦେଖାଶୁଣା କରିବା ପାଇଁ ପାଖରେ କେହି ନାହାନ୍ତି, କିମ୍ବା ରୋଗୀଙ୍କ ବିଷୟରେ ଖବର ଦେବା ପାଇଁ ମଧ୍ୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ଯୋଗାଯୋଗ ନାହିଁ । ତେବେ କେତେଦିନ କରିବା ଆଉ ନୀତିରେ ଅନେକ ଅସହାୟ ରୋଗୀ ଅବହେଳିତ ହୋଇ ପଡି ରହୁଛନ୍ତି ଅଥବା ରୋଗୀ ନିଜେ ମନଇଚ୍ଛା ହସ୍ପିଟାଲ୍‌ରୁ ବାହାରି ଯାଇ ବଲାଙ୍ଗିର ସହର ମୁଖ୍ୟ ରାସ୍ତାରେ ଏଣେତେଣେ ବୁଲୁଛନ୍ତି । ଆଜି ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ ନିକଟରେ । ଅସହାୟ ବୃଦ୍ଧ ବ୍ୟକ୍ତିଟିଏ ହସ୍ପିଟାଲ୍‌ ଦେଇ ଯାଇଥିବା ଜନଗହଳିପୂର୍ଣ୍ଣ ବଲାଙ୍ଗିର – ସୋନପୁର ମୁଖ୍ୟ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଥିବାର ଖବର ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଜଣାଇଥିଲେ ଜଣେ ସହୃଦୟ ସାମ୍ବାଦିକ । ଏକ ଅଜଣା ଶବ ସତ୍କାର କରି ଫେରୁଥିବା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସେହି ବୃଦ୍ଧଙ୍କ ପାଖକୁ ଯାଇ ପଚାରି ବୁଝିବାରୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଏବଂ ସୁସ୍ଥ ନ ହୋଇ ମଧ୍ୟ ବାହାରକୁ ଚାଲି ଆସିଥିବା ଜଣାଇଥିଲେ । ତାଙ୍କର ମାନସିକ ସ୍ଥିତି ଠିକ୍‌ ଲାଗୁ ନଥିଲା ଏବଂ ଡାହାଣ ଗୋଡଟି ଭାଙ୍ଗି ଯାଇ ଝୁଲିଲା ଅବସ୍ଥାରେ ରହିଥିଲା । ସଂଗଠନର ସଦସ୍ୟମାନେ ତୁରନ୍ତ ତାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଗୋଡର ଡ୍ରେସିଂ କରାଯିବା ସହିତ ପ୍ଲାଷ୍ଟର୍ କରାଯାଇଥିଲା । ପରେ ସେହି ବିଭାଗରେ ତାଙ୍କୁ ଭର୍ତ୍ତି କରି ଦିଆଯାଇଥିଲା । ବର୍ତ୍ତମାନ ସେହି ବୃଦ୍ଧ ବ୍ୟକ୍ତି ଜଣକ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ତତ୍ତ୍ୱାବଧାନରେ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କ ଦ୍ଵାରା ଚିକିତ୍ସାଧିନ ରହିଛନ୍ତି । ଏହି କାର୍ଯ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଲିଙ୍କନ ସେଠ୍‌ ଓ ରାହୁଲ ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × 5 =