ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପବିତ୍ର ଦୂତୀ ବାହାନ ଓଷା । ଦୂତୀ ବାହାନ ଓଷା ବା ପୁଅ ଜିଉଁତିଆ ଓଷା ପଶ୍ଚିମ ଓଡ଼ିଶାରେ ପାଳିତ ଏକ ଓଷା ।ମା’ମାନେ ପୁଅର ଦୀର୍ଘ ଜୀବନ ଓ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏହା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ । ଏହି ଦିନ ମା’ମାନେ ସାରାଦିନ ଜଳସ୍ପର୍ଶ ନ କରି ନିର୍ଜଳା ଉପବାସ କରିଥାନ୍ତି । ଆଜିଠାରୁ ଠିକ୍ ୧୬ ଦିନ ପରେ ମା’ ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହୁଏ । ଏଥିପାଇଁ ଆଜିଠାରୁ ଦେବୀ ପୂଜନ ଆରମ୍ଭ ହୋଇଗଲା ବୋଲି ଲୋକଙ୍କ ମଧରେ ବିଶ୍ୱାସ ରହିଆସିଛି ।
ଏହି ବ୍ରତରେ ପୂଜିତ ଦେବତା ହେଉଛନ୍ତି ଜିମୂତ ବାହନ । ଜିଉଁତିଆର ପୂର୍ବ ଦିନ ଓଷା କାରିଣୀମାନେ ନଦୀ କିମ୍ବା ପୋଖରୀ ତୁଠକୁ ଭଲ ଭାବରେ ପରିଷ୍କାର କରି ୧୦୮ ଅଖଣ୍ଡ ଅରୁଆ ଚାଉଳ, ୧୦୮ ଦୁବ, ୨୧ ପ୍ରକାରର ଫୁଲ ଓ ୨୧ ପ୍ରକାରର ଫଳ ଓ ପରିବା ଆଣିଥାନ୍ତି । ପ୍ରଭାତରୁ ଯାଇ ସ୍ନାନ ଶେଷ କରି ସେହି ଦିନଯାକ ନିର୍ଜଳା ଉପବାସ କରି ସନ୍ଧ୍ୟା ସମୟରେ ପୂଜା ସ୍ଥାନକୁ ପବିତ୍ର କରି ସେଠାରେ ଗୋଟିଏ କୋଠି ତିଆରି କରାଯାଏ । ଚାରିପାଖରୁ ମାଟିଖୋଳି ନେଇ ମଝିଟିକୁ ଛାଡ଼ି ଦିଆଯାଏ ସତେ ଯେମିତି ଚାରିପାଖରେ ପାଣି ରହିଲେ ମଝି ଅଂଶ ଗୋଟିଏ ଦ୍ୱୀପ ପରି ଜଣାପଡ଼ିବ । ତା’ମଝିରେ ତୁଳସୀଗଛ ଲଗାଯାଏ ଏବଂ କଦଳୀ ଗଛ ପୋତାଯାଏ । ସେଠାରେ ଥିବା ପାଣିରେ ଏକ ଜିଆଁ ମାଛ ଛଡାଯାଏ । ତା’ପରେ ଯଥା ରୀତିନୀତି ପୂଜା କରାଯାଏ । ତାପର ଦିନ ମା’ମାନେ ଭୋରରୁ ନିଜ ଗାଧୁଆ ପାଧୁଆ ସାରି ନିଜ ପୁଅମାନଙ୍କୁ ଦୁବରେ ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ଛୁଆଇ ବ୍ରତ ବା ଜିଉଁନ୍ତିଆକୁ ସେମାନେ ପୁଅର ହାତରେ ବାନ୍ଧି ତାର ମଙ୍ଗଳକାମନା କରିଥାନ୍ତି । ଏହାପରେ ସେମାନେ ନିଜର ବ୍ରତ ଖୋଲିଥାନ୍ତି ।
ଏହି କ୍ରମରେ ବଲାଙ୍ଗିର ସହରର ଚନ୍ଦ୍ର ଶେଖର ନଗରରେ ପୁଅ ଜିଉଁନ୍ତିଆ ପୂଜା ଚାଲିଥିବା ବେଳେ ଏହି କୋଠିରେ ଦୀର୍ଘ ୬୦ ବର୍ଷ ହେଲା ପୂଜା ଚାଲିଆସୁଥିବା ବ୍ରତକାରିଣୀମାନେ କହିଛନ୍ତି ।