csstore

ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା କୋର୍ଟ ସମ୍ମୁଖରେ ଆଜି ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ସୁନାବେଡ଼ା ଅଞ୍ଚଳରୁ ଦୁଇ ଜଣ ବ୍ୟକ୍ତି କୌଣସି ଏକ ଜରୁରୀ କାମରେ ଏକ ମୋଟର ସାଇକେଲ୍ ଯୋଗେ ନୂଆପଡ଼ା ଅଭିମୁଖେ ଆସୁଥିଲେ । ନୂଆପଡ଼ା ଜିଲ୍ଲା ଅଦାଲତ ସମ୍ମୁଖରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ବାଇକକୁ ଜୋରରେ ଧକ୍କା ଦେଇଥିଲା । ଟ୍ରକ୍‌ର ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତେବେ ସୌଭାଗ୍ୟବଶତଃ ବାଇକ୍ ଚାଳକଙ୍କର କିଛି କ୍ଷତି ହୋଇନାହିଁ, ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକଙ୍କ ଶରୀର କ୍ଷତବିକ୍ଷତ ହୋଇଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କର ସଠିକ୍ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତି ଜଣକ ସୁନାବେଡା ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ନୂଆପଡ଼ା ଥାନା ପୋଲିସ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରି ଥାନାରେ ଅଟକ ରଖିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି ।

jayashree
Leave A Reply

Your email address will not be published.