
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଲଜିନ୍ ଗୁଡ଼ା ଛକ, ଶିବ ମନ୍ଦିର ସାହିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି । ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ସୁନା ଗହଣା, ନଗଦ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ନାଗ ଓ ତାଙ୍କ ସ୍ତ୍ରୀ ସୁଜାତା ନାଗ ପରିବାର ସହ ବୁଧବାର କୌଣସି କାମରେ ରାୟଗଡା ଯାଇଥିଲେ । ସେମାନେ ରାତି ସେଠାରେ ରହି ପରଦିନ ସକାଳ ପ୍ରାୟ ୮ଟାରେ ଘରକୁ ଫେରିବା ବେଳେ ଘରର କବାଟ ଭାଙ୍ଗି, ସମସ୍ତ ସାମଗ୍ରୀ ଅସ୍ତବ୍ୟସ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ଘର ପଛପଟ ପାଚେରୀ ଡେଇଁ ପ୍ରବେଶ କରି ପ୍ରଥମେ ସିସିଟିଭି କ୍ୟାମେରାକୁ କ୍ଷତିଗ୍ରସ୍ତ କରିଥିଲେ । ପରେ କବାଟ ଭାଙ୍ଗି ଘର ଭିତରକୁ ପଶି ସିସିଟିଭିର ହାର୍ଡ ଡିସ୍କ କାଢ଼ି ନେବା ସହ ଆଲମାରୀ ଭାଙ୍ଗି ସୁନା ଚେନ୍, ଦୁଇଟି ସୁନା ମୁଦି, କାନଫୁଲ, ପ୍ରାୟ ସାତ ତୁଳା ରୂପା ଅଳଙ୍କାର, ଏକ ଏଲସିଡି ଟିଭି ଓ କାଠ ବିକ୍ରିରୁ ରଖାଯାଇଥିବା ପ୍ରାୟ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିଲେ । ଘରେ ଟଙ୍କା ରଖାଯାଇଥିବା ମାଟି ବିଡ଼ିକୁ ମଧ୍ୟ ଭାଙ୍ଗି ସେଥିରେ ଥିବା ସମସ୍ତ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ନୂତନ ଥାନା ଅଧିକାରୀ ଅଜିତ ପରିଡା ସନ୍ଧାନୀ କୁକୁର ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଚୋରମାନଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।
