pakka

ଛୁଟି ନ ମିଳିବାରୁ ରାସ୍ତା ଉପରେ ଗାଡ଼ି ରଖି ପଳାଇଲେ ଡ୍ରାଇଭର୍‌

bbehera

ସୋର : ସାଇବର୍‌ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ମାତ୍ର ରାସ୍ତାରେ ଡ୍ରାଇଭରମାନେ ସଚେତନତା ରଥକୁ ରଖି ପଳାଇ ଯାଇଛନ୍ତି । ତେବେ ଛୁଟି ନ ମିଳିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି। ସୋର ବ୍ଲକ୍‌ ଦହିସଡ଼ା ଓଭର୍‌ବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଆଜି ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ, ସାରା ରାଜ୍ୟରେ ଗତ ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାଇବର୍‌ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା । ଝାଡ଼ଖଣ୍ଡ ରାଜ୍ୟର ‘ଫୋକସ୍‌’ ନାମକ ଏକ ସଂସ୍ଥା ସଚେତନତା କାର୍ଯ୍ୟକ୍ରମରେ ଗାଡ଼ିଗୁଡ଼ିକୁ ଠିକାରେ ଲଗାଇଛି । ଆଜି ବଲାଙ୍ଗୀରରୁ ଏହି ସଚେତନତା ରଥଗୁଡ଼ିକ କାର୍ଯ୍ୟ ସାରି ଅନ୍ୟ ରାଜ୍ୟକୁ ଯାଉଥିଲେ। ଏତିକିବେଳେ ଡ୍ରାଇଭରମାନେ ଛୁଟି ନେବାକୁ ଠିକା ସଂସ୍ଥାର ମୁଖ୍ୟଙ୍କୁ ଜଣାଇଥିଲେ। ମାତ୍ର ସଂସ୍ଥା ପକ୍ଷରୁ ଛୁଟି ନେବାକୁ ଅନୁମତି ମିଳି ନଥିଲା। ଫଳରେ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଦହିସଡ଼ା ଓଭର୍‌ବ୍ରିଜ୍ ଉପରେ ଗାଡ଼ି ରଖି, ସୁପରଭାଇଜରଙ୍କୁ ଚାବି ହସ୍ତାନ୍ତର କରି ଡ୍ରାଇଭର୍‌ ଓ ହେଲ୍‌ପର୍‌ମାନେ ନିଜ ନିଜ ସାମଗ୍ରୀ ନେଇ ପଳାଇଥିଲେ। ଫଳରେ ରାସ୍ତା ଉପରେ ୧୩ଟି ଗାଡ଼ି ଛିଡ଼ା ହୋଇଥିଲା। ପରେ ଅନ୍ୟ ବ୍ୟବସ୍ଥା କରାଯାଇ ଗାଡ଼ିଗୁଡ଼ିକୁ ନିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

eight + 20 =