ଅଚିକିତ୍ସିତ ଅବସାଦ ଭୟଙ୍କର ରୂପ ନେଇ ପାରେ : ଡା. ଆଶୀର୍ବାଦ ଶତପଥୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନସିକ ଅବସାଦ ରୋଗରେ ପ୍ରତି ଦଶ ଜଣଙ୍କ ମଧ୍ୟରେ ଜଣେ ଗ୍ରସିତ । ଏହାକୁ ରୋଗ କହିବା ଅପେକ୍ଷା ମାନସିକ ଅବସ୍ଥା କୁହାଯିବା ଅଧିକ ଠିକ ହେବ । ଦୀର୍ଘ ଦିନ ପର୍ଯ୍ୟନ୍ତ ଅବସାଦ ଅଚିକିତ୍ସିତ ରହିଲେ ଏହା ଅଧିକ ଜଟିଳ ହେବା ସହ ରୋଗରେ ପରିଣତ ହୁଏ । ରୋଗୀ ଅବସାଦ ଗ୍ରସ୍ତ ହୋଇ ଆତ୍ମଘାତୀ କିମ୍ବା ଉତ୍ତେଜିତ ହୋଇ ଅନ୍ୟର କ୍ଷତି କରିବା ଆଶଙ୍କ ଲାଗି ରହିଥାଏ । ବଲାଙ୍ଗିର ସହରରେ ସଦ୍ୟ ଘଟିଥିବା ଉନ୍ମତ୍ତ କାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ ହୋଇପାରେ ବୋଲି ଭୀମ ଭୋଇ ମେଡିକାଲରେ କାର୍ଯ୍ୟରତ ମନୋଚିକିତ୍ସକ ଡା. ଆଶୀର୍ବାଦ ଶତପଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସାଧାରଣତଃ ପାରିପାଶ୍ୱିର୍କ ସାମାଜିକ, ଅର୍ଥନୈତିକ ତଥା ବ୍ୟକ୍ତିଗତ ଅବସ୍ଥାକୁ ନେଇ ଅନେକେ ଅବସାଦ ଗ୍ରସିତ ହୁଅନ୍ତି । ବର୍ତ୍ତମାନ କୋଭିଡ ସମୟରେ ବିଭିନ୍ନ କାରଣରୁ ଏହା ବହୁ ଗୁଣ ବୃଦ୍ଧି ପାଇଛି । ମନ ଉଦାସ ରହିବା, ଏକାଗ୍ରତା କମିଯିବା, ଟିକିଏ କାମ କଲେ ଥକି ଯିବା, ଆତ୍ମବିଶ୍ୱାସ କମିଯିବ, ଅନାବଶ୍ୟକ ଭୟ ବା ରାଗ ଅନୁଭବ କରିବା, ଅସ୍ୱାଭିକ ଭାବେ ନିଦ ଭୋକ କମିଯିବା ବା ବଢିଯିବା, ବିଭିନ୍ନ ବଷୟ ପ୍ରତି ସ୍ପୃହା କମିଯିବା ଏହାର ସାଧାରଣ ଲକ୍ଷଣ । ଅବସାଦଗ୍ରସ୍ତ ରୋଗୀ ମାନସିକ ଅବସାଦକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ ସାମାନ୍ୟ, ମଧ୍ୟମ ବା ଗୁରୁତର । ତୁରନ୍ତ ଏହାର ଚିକିତ୍ସା କଲେ କମ ଦିନରେ ତଥା ସହଜରେ ଏହି ରୋଗ ଲାଘବ ହୁଏ । କିନ୍ତୁ ଅନେକ ରୋଗୀ ଏହାକୁ ପାଗଳାମୀ ଭାବେ ଗ୍ରହଣ କରି ଲୋକଲଜ୍ଜ୍ୟାରେ ଏହାର ଚିକିତ୍ସା କରାନ୍ତି ନାହିଁ ଫଳରେ ଏହା ଅଧିକ ଗୁରୁତର ହୁଏ । ଉତ୍ତେଜିତ ଅବସାଦ (Agitated Depression) ଏହାର ଅନ୍ୟ ଏକ ପ୍ରକାର । ଅବସାଦ ଗ୍ରସ୍ତ ରୋଗୀ ଲମ୍ବା ସମୟ ପର୍ଯ୍ୟନ୍ତ ଅଚିକିତ୍ସିତ ରହିଲେ ଏହା ବୃଦ୍ଧି ପାଇଥାଏ । ଫଳରେ ରୋଗୀ ମନରେ ଆତ୍ମଘାତୀ ଚିନ୍ତା କିମ୍ବା ପରଘାତୀ ଚିନ୍ତା ବଢିଥାଏ । ବଲାଙ୍ଗିର ସହରରେ ସଦ୍ୟ ଘଟିଥିବା ଯୁବକର ଉନ୍ମତ୍ତକାଣ୍ଡ ଏହାର ଉଦାହରଣ । ଯେଉଁଠି ଯୁବକ ଗତ ଦୁଇ ବର୍ଷ ହେବ ଅବସାଦର ଗ୍ରସ୍ତ ଥିବା ନିଜେ ସ୍ୱୀକାର କରିଛନ୍ତି । ଦୀର୍ଘ ଦିନ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରୋଗୀଙ୍କ ଚିକିତ୍ସା ନହେଲେ ଏହି ରୋଗ ଅଧିକ ଜଟିଳ ହେବା ସହ କେତେକ ଘଟଣାରେ ଭୟଙ୍କର ପରିଣାମ ଦେଖିବାକୁ ମିଳେ । ତେଣୁ କୌଣସି ବ୍ୟକ୍ତିଙ୍କ ଠାରେ ମାନସିକ ଅବସାଦର ଲକ୍ଷଣ ଦେଖାଗଲେ ବ୍ୟକ୍ତି ବିଶେଷ ଅଥବା ପରିବାର ବର୍ଗ ଏହାର ତୁରନ୍ତ ଚିକିତ୍ସା ଦିଗରେ ଯତ୍ନବାନ ହୁଅନ୍ତୁ । ଉକ୍ତ ରୋଗର ଚିକିତ୍ସା ପାଇଁ ସରକାର ମାଗଣାରେ ଚିକିତ୍ସା ଓ ଔଷଧ ଯୋଗାଇ ଦେଉଛନ୍ତି । ଜନସାଧାରଣ ଆବଶ୍ୟକ ସ୍ଥଳେ ଏହି ସୁବିଧାର ଲାଭ ନେବା ପାଇଁ ଡା. ଶତପଥୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.

twenty − four =