ସାଧାରଣ ସଂପାଦକଙ୍କ ଦୋକାନ ଖୋଲା ଫଟୋ ଭାଇରାଲ୍‌ : ସାଧାରଣରେ ପ୍ରଶ୍ନ, ବଙ୍ଗିରବାସୀଙ୍କୁ କ’ଣ ଭୁଆଁ ବୁଲାଉଛି ବଣିକ ସଂଘ..?

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୋଭିଡ ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ବଲାଙ୍ଗିର ବଣିକ ସଂଘ କରୋନା ନିୟନ୍ତ୍ରଣ କମିଟି ଗଠନ କରି ବଲାଙ୍ଗିରର ସମସ୍ତ ଦୋକାନ ବଜାର ଆସନ୍ତା ୧ ତାରିଖ ଯାଏଁ ବନ୍ଦ କରିବା ପାଇଁ ଡାକରା ଦେଇଛି । ଅନ୍ୟପଟେ ବଲାଙ୍ଗିର ବଣିକ ସଂଘର ସାଧାରଣ ସଂପାଦକ ବଳରାମ ଅଗ୍ରୱାଲଙ୍କ ଦୋକାନ ରୋଶନୀ ଇଲେକ୍‌ଟ୍ରିକାଲ୍‌ସ୍‌ ଅଧା ଖୋଲା ଥିବା ଏକ ଫଟୋ ଚିତ୍ର ଆଜି ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି । ଏହି ଫଟୋରେ ଦୋକାନ ଅଧା ଖୋଲା କରି ଗ୍ରାହକଙ୍କୁ ସାମାନ ଦେଉଥିବା ଦେଖାଯାଉଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ବଲାଙ୍ଗିର ବ୍ୟବସାୟୀ ମହଲରେ ଦୃଢ ଅସୋନ୍ତୋଷ ଦେଖା ଦେଇଛି । ଅନ୍ ଲକ୍ -୪ ସମୟରେ ମଧ୍ୟ ସଂଘର ଡାକରାରେ ବାଧ୍ୟ ହୋଇ ନିଜ ଦୋକାନ ବନ୍ଦ କରିଥିବା କିଛି ଦୋକାନୀ ଏହାକୁ ତୀବ୍ର ନିନ୍ଦା କରିବା ସହ ବଲାଙ୍ଗିରବାସୀଙ୍କୁ ବଣିକ ସଂଘ କ’ଣ ଭୁଆଁ ବୁଲାଉଛି ବୋଲି ପ୍ରଶ୍ନ କରୁଛନ୍ତି । ତେବେ ଏ ସଂପର୍କରେ ରୋଶନୀ ଇଲେକ୍‌ଟ୍ରିକାଲ୍‌ସ୍ ମାଲିକ ବଳରାମ ଅଗ୍ରୱାଲଙ୍କୁ ପଚରାଯିବାରୁ ଦୋକାନର ଲାଇଟ ବନ୍ଦ କରିବା ପାଇଁ ଦୋକାନ ଖୋଲା ଯାଇଥିଲ।। ସେମିତି ବି ମୁଁ କେବଳ ବଣିକ ସଂଘର ସାଧାରଣ ସଂପାଦକ, କୋଭିଡ ନିୟନ୍ତ୍ରଣ କମିଟିର ମେମ୍ବର ନୁହେଁ । ଆହୁରି ବଣିକ ସଂଘ ଦୋକାନ ବଜାର ବନ୍ଦ କରିବାର କୌଣସି ଡାକରା ଦେଇନାହିଁ ବୋଲି କହିଥିଲେ ।


ପ୍ରକାଶ ଯୋଗ୍ୟ ଯେ, ଗତ ୨୪ ତାରିଖରେ ଜିଲ୍ଲା ବଣିକ ସଂଘ ବଲାଙ୍ଗିରରେ କରୋନା ମୁକାବିଲା ପାଇଁ ଏକ ସର୍ବଦଳୀୟ ସଭାର ଡାକରା ଦେଇଥିଲା । ଏହି ସଭାରେ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସର୍ବସମ୍ମତି କ୍ରମେ ୨୫ ତାରିଖରୁ ଆସନ୍ତା ମାସ ୧ ତାରିଖ ପର୍ଯ୍ୟନ୍ତ ସହରାଞ୍ଚଳରେ ଦୋକାନ ବଜାର ବନ୍ଦ କରିବାର ନିଷ୍ପତ୍ତି ପ୍ରକାଶ ପାଇଥିଲ। । ଏହି ଡାକରା କ୍ରମେ ସହରର ବିଭିନ୍ନ ବ୍ୟବସାୟୀ ଅନିଚ୍ଛା ସତ୍ୱେ ତାଙ୍କର ଦୋକାନ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ଯେଉଁ ଦୋକାନୀମାନେ ଡାକରାକୁ ଗ୍ରହଣ ନକରି ଦୋକାନ ଖୋଲୁଥିଲେ, ତାଙ୍କୁ ସଂଘ ତରଫରୁ ପିକେଟିଂ କରି ଦୋକାନ ବନ୍ଦ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲ। । ତେବେ ଆଜି ଖୋଦ୍‌ ସଂଘର ସାଧାରଣ ସଂପାଦକ ନିଜ ଦୋକାନ ଅଧା ଖୋଲା ଯାଇ ସାମାନ ବିକ୍ରୟ କରାଯାଉଥିବା ଫଟୋ ଭାଇରାଲ ହେବାପରେ ବଣିକ ସଂଘର ପ୍ରକୃତ ମାନସିକତା ଓ ଅସଲ ଚେହେରା ସର୍ବ ସମ୍ମୁଖକୁ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.