pakka

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ କଲେ ନରସିଂହ

bbehera
  • ଦିବ୍ୟାଙ୍ଗଙ୍କୁ ସହାୟତା ଏକ ଦୟା ନୁହେଁ, ଏହାର ତାଙ୍କ ଅଧିକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ଯେଉଁ ଶିକ୍ଷଣୀୟ ସାମଗ୍ରୀ ତଥା ସହାୟତା ଉପକରଣ ପ୍ରଦାନ କରାଯାଉଛି ଏହା କାହାରି ଦୟାରେ ନୁହେଁ, ଏ ସବୁ ପାଇବା ହେଉଛି ତାଙ୍କର ନ୍ୟାର୍ଯ୍ୟ ଅଧିକାର । କାରଣ ଏକ ପୂର୍ଣ୍ଣାଙ୍ଗ ଏବଂ ସମ୍ମାନର ସହ ବଞ୍ଚି ରହିବା ତାଙ୍କର ଅଛି ଏବଂ ବଞ୍ଚି ରହିବା ପାଇଁ ଭିନ୍ନକ୍ଷମମାନଙ୍କର ଯାହା କିଛି ବି ଦରକାର ସେ ସବୁ ପୁରଣ କରିବା ବା ପ୍ରଦାନ କରିବା ସରକାରମାନଙ୍କର କର୍ତ୍ତବ୍ୟ ଅଟେ ବୋଲି ଗତକାଲି ସ୍ଥାନୀୟ ପତିତପାବନ ଏକାଡେମୀଠାରେ ସମଗ୍ର ଶିକ୍ଷା ବଲାଙ୍ଗିର ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟତା ପ୍ରଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଭିନ୍ନକ୍ଷମଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭା ଥାଏ । ସେ ସେବୁକୁ ଲୋକ ଲୋଚନକୁ ଆଣିବା ସମସ୍ତଙ୍କର ଦାୟିତ୍ୱ ଅଟେ । ଉପସ୍ଥିତ ଅଭିଭାବକମାନଙ୍କୁ ଶ୍ରୀ ମିଶ୍ର କହିଥିଲେ ଯେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମା’ ବାପାମାନେ ତାଙ୍କ ପିଲା ଛୁଆଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡୁଛି । ସେମାନେ ଏଥିପାଇଁ ମନଉଣା କରନ୍ତୁ ନାହିଁ । ମନଧ୍ୟାନ ଦେଇ ନିଜ ଭିନ୍ନକ୍ଷମ ପୁଅ ଝିଅଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ, ଦେଖିବେ ସେମାନେ ନିଶ୍ଚିତ ଭାବରେ ଦିନେ ନାଁ ଦିନେ ଆପଣମାନଙ୍କ ପାଇଁ ତଥା ଏହି ସମାଜ ପାଇଁ ଗୌରବ ଆଣିଦେବେ । ଏହି କାର୍ଯ୍ୟକ୍ରମରେ ୭୩ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ତଥା ସହାୟତା ଉପକରଣ ଶ୍ରୀ ମିଶ୍ର ବଣ୍ଟନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନିଲ କୁମାର ବେହେରା, ସହକାରୀ ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାଏକ, କୈଳାସ କୁମ୍ଭାର ଓ ସନ୍ଧ୍ୟାରାଣୀ ଧରୁଆ ଏବଂ ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ସରାଫ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × three =