
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ସାକ୍ଷରତା ଦିବସ ଓ ଉଲ୍ଲାସ କାର୍ଯ୍ୟକ୍ରମ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷିକେଶ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଭିନବ ଯୋଜନା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ୧୫ ବର୍ଷ ବୟସରୁ ଉର୍ଦ୍ଧ୍ଵ ସମସ୍ତ ନିରକ୍ଷରଙ୍କୁ ଚିହ୍ନଟ କରିବାକୁ ଘରକୁ ଘର ସର୍ଭେ କରିବା ପରେ ସ୍ୱେଚ୍ଛାସେବୀ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱାରା ୧୦୦ ଘଣ୍ଟାର ପାଠପଢା ବ୍ୟବସ୍ଥା କରାଯାଇ ନିରକ୍ଷରତା ଦୂରୀକରଣ କରାଯିବ । ଉଲ୍ଲାସ ମୋବାଇଲ ଆପ୍ରେ ତଥ୍ୟ ପୂରଣ କରାଯିବ ଓ ପ୍ରତି ଦଶଜଣରେ ଜଣେ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯିବା ସହ ସମସ୍ତ ନିରକ୍ଷର ବ୍ୟକ୍ତିଙ୍କୁ ପଢିବା ଲେଖିବା ଉପକରଣ ଯୋଗାଇ ଦିଆଯିବ ବୋଲି କହିଥିଲେ । ଗଜବନ୍ଧ ଗ୍ରାମର ଲୋକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ଛାତ୍ରଛାତ୍ରୀ ଯୋଗଦେଇ ନିରକ୍ଷରତା ଦୂରୀକରଣ କରିବାକୁ ଶପଥ ନେଇଥିଲେ । ସମସ୍ତେ ଶୋଭାଯାତ୍ରାରେ ପ୍ଲା-କାର୍ଡ ଧରି, ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିବା ସହ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ସଚେତନ କରିଥିଲେ । ଶିକ୍ଷୟିତ୍ରୀ ମାନସୀ ନାଗ, ଲଳିତା ଭୁଏ, ବର୍ଷାରାଣୀ ମଲ୍ଲିକ, ପ୍ରଶାନ୍ତ ଜ୍ୟୋତି ପ୍ରଧାନ, ସଞ୍ଜୟ ଭୋଇ, ଦୀନେଶ ନାଏକ, ବିକାଶ ଭରାସାଗର ସହଯୋଗ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ପୁରୋହିତ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।