
କେସିଙ୍ଗା, (ପ୍ରୀତେଶ ପଟେଲ) : ଲୋକସଂସ୍କୃତି, ପରମ୍ପରା ଓ ସାହିତ୍ୟର ମହାମିଳନ ପର୍ବ ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ’ । ଡିସେମ୍ବର ୧୯ ଓ ୨୦ରେ ଦୁଇଦିନିଆ ମହୋତ୍ସବ; ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କୁ ନେଇ ଜମିବ ଆସର । ଲୋକସଂସ୍କୃତି, ପରମ୍ପରା ଓ ସାହିତ୍ୟର ମହାମିଳନର ଅନନ୍ୟ ଉତ୍ସବ ‘ବୁଢ଼ାଡଙ୍ଗର ଲୋକ ମହୋତ୍ସବ’ ଶ୍ରୀ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିକ୍ଷା, ସଂସ୍କୃତି, ସେବା ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଓ ଅବଦାନ ରଖିଥିବା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ । ମହୋତ୍ସବକୁ ସଫଳ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଉପକମିଟି ଗଠନ କରାଯାଇଛି । ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା ପ୍ରଦର୍ଶନୀ ଆୟୋଜନ କରାଯିବା ସହ ସାଂସ୍କୃତିକ ଶୋଭାଯାତ୍ରା, ନୃତ୍ୟ ପ୍ରତିଯୋଗିତା ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ । ବଲିଉଡ୍ର ବିଭିନ୍ନ ସିନେ କଳାକାର, ଗାୟକ ଓ ଗାୟିକାଙ୍କୁ ଆମନ୍ତ୍ରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ‘ବୁଢ଼ାଡଙ୍ଗର ସ୍ମରଣିକା’ ପ୍ରକାଶ ପାଇବ । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ଅମୀୟ ନନ୍ଦ, କୋଷାଧ୍ୟକ୍ଷ ବିକ୍ରମ ବାରିକ, ଉମେଶ ନାଏକ, ଲଳିତ ରଞ୍ଜନ ସାହା, ସୁରେଶ ମହାନନ୍ଦ, ସଞ୍ଜୟ ମହାନ୍ତି, କୁଞ୍ଜବିହାରୀ ସାହୁ, କମ୍ବୁପାଣି ବାଗ, ସୁରେନ୍ଦ୍ର ଦୋରା, ତପନ ଦାସ, ଓଡ଼ିଆ ଅଧ୍ୟାପକ ଡ. ରାକେଶ କୁମାର ବିଶି, ଯାଦବେନ୍ଦ୍ର ସାହା, କବିତା ପାଣିଗ୍ରାହୀ, ଉତ୍ତମ ଦାସ, ପ୍ରସନ୍ନ ମହାନ୍ତି, ବର୍ଷା, ସୁକଦେବ ସାହୁ, ମୁରଲୀ କ୍ରିଷ୍ଣା, ଧନେ ମିଶ୍ରଙ୍କ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।