
ବଲାଙ୍ଗିର, (କେପିଏନ୍ଏସ୍) : କୋଶଲି ଛୁଆ ସାହିତ୍ୟ ସଂସଦ ବଲାଙ୍ଗିରର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡା ବଲାଙ୍ଗିର ଠାରେ ସଂସଦର ସଭାପତି ବିଶିଷ୍ଟ ସାହିତ୍ୟିକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବର୍ଷିୟାନ୍ କବି ତଥା କୋଶଲବାଦୀ ନେତା ସୁଶୀଳ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଶଲି ଭାଷା ସାହିତ୍ୟର ବହୁଳ ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରସରାଜ ଅଚ୍ୟୁତ ପୁରୋହିତ ଯୋଗଦେଇ ହାସ୍ୟରସରେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ତଥା କୋଶଲପ୍ରବାହର ପ୍ରତିଷ୍ଠାତା ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇ କୋଶଲି ଭାଷା ଆମ ମା’ର ଭାଷା, ତେଣୁ ଭାଷା ମା’କୁ ସମସ୍ତେ ସମ୍ମାନ ଦେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବଲାଙ୍ଗିରର ବିଶିଷ୍ଟ ସମାଜସେବୀ କିଶୋର ରଥ, ବିଶିଷ୍ଟ କବି ଶ୍ୟାମ ସୁନ୍ଦର ପ୍ରଧାନ ଓ ଦିଲୀପ କୁମାର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାତା ସମ୍ପାଦକ ଡ. ଗୋପୀକୃଷ୍ଣ ପଣ୍ଡିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ଡ. ମିନତୀ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ସୋମନାଥ ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଉପ ସଭାପତି ସନ୍ତୋଷ ଉପାଧ୍ୟାୟ, ବିଶିଷ୍ଟ ସାହିତ୍ୟିକ ଭବାନୀ ଶଙ୍କର ପଟେଲ ଓ କବି ସନାତନ ମିଶ୍ର ମଞ୍ଚାସୀନ ଥିଲେ । ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ ଚନ୍ଦନା ମଞ୍ଜରୀ ତ୍ରିପାଠୀଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । ତୃତୀୟ ଅଧିବେଶନରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ଆସିଥିବା କବି କବୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସମ୍ପାଦକ ଚରଣ ସା, ବଂଶୀଧର ପଶାୟତ ଓ ପ୍ରଦୀପ କୁମାର ପଣ୍ଡା ସହଯୋଗ କରିଥିଲେ ।