jayashree

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

  • “ସାକ୍ଷରତାର ସନ୍ଦେଶ ନେଇ ସହରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ୍‌ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାକ୍ଷରତାକୁ ସମାଜର ସାମଗ୍ରିକ ବିକାଶର ମୁଖ୍ୟ ଆଧାର ଭାବେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ରୀନା କୁମାରୀ ବେହେରା ଯୋଗଦେଇ ସାକ୍ଷରତା ଦିବସର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ; ଏହା ଜ୍ଞାନ, ସୁଯୋଗ, ସମାନତା ଓ ଉନ୍ନତିର ଦ୍ୱାର ଖୋଲିଥାଏ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ସେବାଶ୍ରୀ ଭୋଇ ମଧ୍ୟ ନିଜ ବକ୍ତବ୍ୟ ରଖି ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ଶିକ୍ଷା ଓ ସାକ୍ଷରତାର ପ୍ରସାର ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ପିଏମ୍‌ ଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ସଚେତନତା ରାଲିରେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସାକ୍ଷରତାର ଆବଶ୍ୟକତା, ଶିକ୍ଷାର ମହତ୍ତ୍ୱ ଓ ସମାଜରେ ଜ୍ଞାନର ପ୍ରସାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ପରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀମାନେ ସାକ୍ଷରତା ଓ ଶିକ୍ଷାର ପ୍ରସାର ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଓ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶତପଥୀ ମଞ୍ଚାସୀନ ଥିଲେ । ଜିଲ୍ଲାର ୧୪ଟି ବ୍ଲକରୁ ‘ଉଲ୍ଲାସ’ କାର୍ଯ୍ୟକ୍ରମରେ ଯୋଡି ହୋଇ ଅକ୍ଷର ଜ୍ଞାନ ହାସଲ କରିଥିବା ନବସାକ୍ଷର ମାନେ ଏଥିରେ ଯୋଗଦେଇଥିଲେ । ସେମାନେ ଅକ୍ଷର ଜ୍ଞାନ ଶିଖିବା ପୂର୍ବର ଜୀବନ ଓ ଶିକ୍ଷା ହାସଲ କରିବା ପରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଥିଲେ । ଅକ୍ଷର ଚିହ୍ନିବା, ନିଜ ନାମ ଲେଖିବା ଓ ଦୈନନ୍ଦିନ ଜୀବନରେ ପଢ଼ାଲେଖାର ଉପଯୋଗ କରିପାରୁଥିବାର ଅନୁଭବ ସେମାନଙ୍କ ମୁହଁରେ ଆତ୍ମସନ୍ତୋଷ ଓ ଆତ୍ମବିଶ୍ୱାସ ଆଣିଥିବା ପ୍ରକାଶ ପାଇଥିଲା । ସେମାନଙ୍କ ଅଭିଜ୍ଞତା ଉପସ୍ଥିତ ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା । ଶିକ୍ଷକ ହେମନ୍ତ ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ଜଗଦୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ସିଆର୍‌ସିସି ଓ ନବସାକ୍ଷର ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.