
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ମାଲପଡ଼ା ଗ୍ରାମରେ ଥିବା ଖେଳ ପଡ଼ିଆ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ ସହ ଜମି ଚିହ୍ନଟ କରାଯିବା ଦାବୀରେ ଗ୍ରାମର ଯୁବଗୋଷ୍ଠୀ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ଚିହ୍ନଟ ହୋଇଥିବା ଏହି ଖେଳ ପଡ଼ିଆରେ ଗ୍ରାମର ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀମାନେ ଶାରୀରିକ ବିକାଶ ପାଇଁ ପ୍ରତିଦିନ ବିଭିନ୍ନ ଖେଳକୁଦ ଓ ବ୍ୟାୟାମ କରିଥାନ୍ତି । କିନ୍ତୁ ଏହି ଖେଳ ପଡ଼ିଆ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ ଓ ଚିହ୍ନଟ କରାଯାଇନଥିବାରୁ ଜମି ଜବରଦଖଲ ଓ ସୀମା ବିବାଦ ଦେଖାଦେବାର ଆଶଙ୍କା ରହିଛି । ଏଣୁ ସରକାରୀ ରେକର୍ଡ ଅନୁସାରେ ମାପଚୁପ କରି ଖେଳ ପଡ଼ିଆ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ ସହ ଜମି ଚିହ୍ନଟ କରାଗଲେ ଖେଳ ପଡ଼ିଆ ଜମି ସୁରକ୍ଷିତ ରହିବା ସହ ଗ୍ରାମର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଖେଳ ପାଇଁ ଉପଯୁକ୍ତ ସ୍ଥାନ ପାଇପାରିବେ ବୋଲି ଲିଖିତ ଦାବୀ କରିଛନ୍ତି । ଦାବିପତ୍ର ଗ୍ରହଣ କରିଥିବା ତହସିଲଦାର ଜଗଦୀଶ କର୍ତ୍ତାମୀ ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ଗ୍ରାମର ଖେଳ ପଡ଼ିଆ ପାଇଁ ଉଦ୍ଦିଷ୍ଟ ଜମିର ପ୍ରକୃତ ସୀମା ନିର୍ଦ୍ଧାରଣ କରାଯିବ ଓ ସରକାରୀ ଜମି କେହି ଜବରଦଖଲ କରିପାରିବେ ନାହିଁ ବୋଲି ଯୁବଗୋଷ୍ଠୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ମାଲପଡ଼ା ଗ୍ରାମର ପାଲେଶ୍ୱର ଜାନୀ, ବିନୋଦ ମାଝୀ, ତୁଲାରାମ ପୁଟେଲ, ଟଙ୍କଧର ମାଝୀ, କୁନ୍ତ ମାଝୀ, ସତ୍ୟାନନ୍ଦ ମାଝୀ, ରତ୍ନାକର ମାଝୀ, ଏସ. ମାହାକୁର, ଗଜପତି ମାଝୀ, ଦୁଷ୍ମନ୍ତ ଜାନୀ, ଯତୀନ ମାଝୀ, ହଳଧର ମାହାକୁର, ଲୋଚନ ମାହାକୁରଙ୍କ ସହ ବହୁ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ ।