ଆଜି ପୂର୍ବାହ୍ନରେ ପୁଣି ଧାରଣାରେ ବସିଲେ ଡାକ୍ତରୀ ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାକ୍ତର ବିଶ୍ୱରଞ୍ଜନ ସାହୁଙ୍କୁ ମାଡ ଘଟଣାର ପ୍ରତିବାଦ କରି ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ ସମ୍ମୁଖରେ ବସି ଧାରଣା ଦେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଆଉଟ୍‌ ଡୋର୍‌ ଡିଉଟି ସାରି ଡାକ୍ତର ବିଶ୍ୱରଞ୍ଜନ ସାହୁ ମେଡିକାଲ କଲେଜ୍‌କୁ ଫେରିବା ବେଳେ ଲାଲ୍‌ଟିକ୍ରା ପାଖରେ ଦୁଇଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇ ନିସ୍ତୁକ ମାଡ ମାରିଥିଲେ । ଫଳରେ ଡା. ସାହୁଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ଭୀମଭୋଇ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ତୁରନ୍ତ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ଘଟଣାକୁ ବିରୋଧ କରି ଗତକାଲି ସନ୍ଧ୍ୟାରେ କାର୍ଯ୍ୟରତ ଡାକ୍ତରମାନେ ଧାରଣାରେ ବସି ଦୁବୃର୍ତ୍ତମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଧାରଣା ସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ରିଷିକେଶ ଖିଲାରୀ ପହଞ୍ଚି ଡାକ୍ତରମାନଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍‌ କରିନଥିବା ବେଳେ ଉଭୟଙ୍କୁ ଗିରଫ୍‌ କରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛି । ଅନ୍ୟନକ୍ଷରେ ଆଜି ପୂର୍ବାହ୍ନରେ ପୁଣି ଡାକ୍ତରୀ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଧାରଣାସ୍ଥଳରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ୍‌ଙ୍କ ସହ ବଲାଙ୍ଗିର ପୋଲିସ ଉପସ୍ଥିତ ରହି ଧାରଣାରତ ଡାକ୍ତରମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.