pakka

ସିଆଇଟିୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପି ପ୍ରତିବାଦ, ବିକ୍ଷୋଭ ଓ ଧାରଣା : ରାଉରକେଲା ପରିବହନ ଶ୍ରମିକ ସାମିଲ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ୍ (ସିଆଇଟିୟୁ) ଡାକରାରେ ପରିବହନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବୀରେ ଦେଶବ୍ୟାପି ମାର୍ଚ୍ଚ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପ୍ରତିବାଦ, ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆହ୍ୱାନ କରାଯାଇଥିଲା ଏବଂ ଆଜି ଫେଡେରେସନ୍‌ର ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ୧୫ ମାର୍ଚ୍ଚ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ସମର୍ଥନ ଘୋଷଣା କରାଯାଇଥିଲା । ଆଜି ୧୫ ମାର୍ଚ୍ଚ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନି ବସ୍ ଆସୋସିଏସନ୍ (ସିଆଇଟିୟୁ) ପକ୍ଷରୁ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ପ୍ରତିବାଦ ଧାରଣାରେ ବସିଥିଲେ ସଂଘର ସଦସ୍ୟମାନେ । ଧାରଣା ସ୍ଥଳରେ ବକ୍ତବ୍ୟ ରଖି ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଉଭୟ ୟୁନିୟନର ଉପସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ କହିଥିଲେ ଯେ ଓଡ଼ିଶାର ପରିବହନ ଶ୍ରମିକ ସର୍ବାଧିକ ନିର୍ଯାତିତ । ଏଠାରେ ସରକାରୀ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପରିବହନ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ନାହିଁ, ଯେଉଁ ଠାରେ କିଛି ସୁବିଧା ସୁଯୋଗ ପରିବହନ ଶ୍ରମିକ ପାଉଛନ୍ତି ତାହା ସିଆଇଟିୟୁର ଲଢେଇ ଯୋଗୁଁ ସମ୍ଭବ ହୋଇଛି । ପରିବହନ ଶ୍ରମିକମାନଙ୍କ ପାଇଁ ୮ ଘଣ୍ଟା କାର୍ଯ୍ୟ ଦିବସ ସ୍ୱପ୍ନ । ଇଏସଆଇ, ପିଏଫ୍, ବୋନସ ଏମାନେ ପାଇବାରୁ ବଂଚିତ । ଏହା ବିରୋଧରେ ପରିବହନ ଶ୍ରମିକ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ । ଆଜିର ୧୫ ଦଫା ଦାବୀରେ ପରିବହନ ଶ୍ରମିକମାନଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା, ୫୮ ବର୍ଷ ପରେ ମାସିକ ୧୦ ହଜାର ଟଙ୍କା ପେନସନ୍‌, ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ଇଏସଆଇ, ପିଏଫ୍ ସ୍କିମ୍ କାର୍ଯ୍ୟକାରୀ କରିବା, ପରିବହନ ଶ୍ରମିକମାନଙ୍କ ପାଇଁ ରାଜ୍ୟସ୍ତରୀୟ କଲ୍ୟାଣ ପାଣ୍ଠି ଗଠନ କରି ଗୃହ ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିବାହ ଆଦି କାମପାଇଁ ସହାୟତା ଏହି ପାଣ୍ଠିରୁ ପ୍ରଦାନ କରିବା ପ୍ରଭୃତି ଦାବୀରେ ଆଜି ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ଉଭୟ ୟୁନିୟନର ସଂପାଦକ ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଶୁଭେନ୍ଦୁ ମହାନ୍ତି, ବଜରଙ୍ଗି ଲୋହାର, ଭୀମସେନ ସେଠୀ, ରାଜୁ ଏକ୍କା, ବୁଲୁ ରାଉତରାୟ, ହରି ସିଂହ, ମୁନା ସିଂ, ଜିତେନ୍ଦ୍ର ପାଲ ସିଂହ, କାଳିଆ ନାୟକ ପ୍ରମୁଖଙ୍କ ସମେତ ବହୁ ପରିବହନ ଶ୍ରମିକ ସାମିଲ ଥିଲେ ।

Leave A Reply

Your email address will not be published.

eight − six =