ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଘଟଣା ସ୍ଥଳରେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବସ୍ତା ଥାନା ଅଧୀନସ୍ଥ ବୃନ୍ଦାବନପୁର ଗ୍ରାମର ଦୁଇଜଣ ଏବଂ ବାହାର୍ଦ୍ଦା ଗ୍ରାମର ଜଣେ ଯୁବକଙ୍କୁ ମିଶାଇ ମୋଟ ୩ ଜଣ ଗୋଟିଏ ବାଇକରେ ତାସାରୀ ବେଳାଭୂମିକୁ ବୁଲିବାକୁ ଯାଇ ରାତିରେ ଫେରୁଥିଲେ । ତେବେ ଉଲୁଡା ଛକ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଇକଟି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଦୁଇ ଯୁବକ ହେଉଛନ୍ତି ବସ୍ତା ଥାନା ବୃନ୍ଦାବନପୁର ଗ୍ରାମର ବିଶ୍ୱ ବିକାଶ ପରିଡ଼ା ଏବଂ ଅନ୍ୟ ଜଣେ ବାହାର୍ଦ୍ଦା ଗ୍ରାମର ଆକାଶ ଭକ୍ତା । ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ବୃନ୍ଦାବନପୁର ଗ୍ରାମର ସୁନୀଲ ବେହେରା । ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Leave A Reply

Your email address will not be published.

10 + seven =