ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୫ ଆହତ

ଗୋପାଳପୁର : ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁରଠାରୁ କରାପଲ୍ଲୀ ରାସ୍ତାରେ ଗତକାଲି ରାତି ପ୍ରାୟ ସାଢେ ୭ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ ଗତକାଲି ରାତି ସାଢ଼େ ୭ଟା ବେଳେ ଗୋପାଳପୁରରୁ ନିଜର କାମ ସାରି ଗଜପତି ନଗରର ତନୁ ମାହାରଣା ଓ ସୁକୁଣ୍ଡାର ଦିନବନ୍ଧୁ ଦାସ ପ୍ରମୁଖ ନିଜ ବାଇକ୍‌ (ଓଡି ୦୭ ଏଚ ୨୧୮୦) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବ୍ରହ୍ମପୁର ପଟୁ ଗୋପାଳପୁର ଫେରୁଥିବା ନାରାୟଣପୁରର ପିଣ୍ଟୁ ସାହୁ ଓ ଅନ୍ୟ ଦୁଇ ଜଣ (ଓଡି ୦୭ ବି ୩୫୫୯)ଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଯାଉଥିବା ୫ ଜଣ ଆହାତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ତନୁ, ଦିନବନ୍ଧୁ ଓ ପିଣ୍ଟୁ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୩ ଆହାତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବା ସହ ଘଟଣାକୁ ନେଇ ଗୋପାଳପୁର ଥାନାକୁ ଅବଗତ କରିଛନ୍ତି । ଅନ୍ୟ ପଟେ ଗତ କିଛି ମାସ ହେଲା ଡୁରା ଛକଠାରୁ କରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ୟ୍ୟ ଚାଲୁ ରହିଥିବା ବେଳେ ରାମଚନ୍ଦ୍ରପୁରଠାରୁ କରାପଲ୍ଲି ପର୍ଯ୍ୟନ୍ତ ରାସ୍ତା ଏକପାଖିଆ କରାଯାଇଛି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଅନେକ ଲୋକ ଆହାତ ହେଉଛନ୍ତି । ଏଣୁ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଉଜ୍ୱଳ ଆଲୋକ ସହ ସୂଚନା ଫଳକ ଲଗାଇବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

10 − six =

error: Content is protected !!