
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆଜି ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଅଟନ୍ତି । ବିଜୟ ପୁରୋହିତ ସମ୍ବଲପୁର ମାଇନିଂ ଅଫିସରୁ ୨୦୧୬ ମସିହାରୁ ଅବସର ନେବାପରେ ପାଇକମାଲ ଗ୍ରାମରେ ସମସ୍ତ ୪ ଭାଇଙ୍କ ସହ ଏକାଠି ରହୁଥିଲେ । ସ୍ୱର୍ଗତ ସଂଯୁକ୍ତା ପୁରୋହିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ବିଏସସି, ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀ ମାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରୁଥିଲେ । ସେ ଜଣେ ମେଲାପୀ ଓ ଧର୍ମପରାୟଣ ମହିଳା ଥିଲେ । ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପାଇକମାଲ ଗାଁରେ ଶୋକର ଛାୟା ଖେଲି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇକମାଲ ସ୍ଥିତ ସ୍ୱର୍ଗଦୁଆରଠାରେ ଅନୁଷ୍ଠିତ ହେବା ବେଳେ ତାଙ୍କ ସ୍ୱାମୀ ଶ୍ରୀ ବିଜୟ କୁମାର ପୁରୋହିତ ଓ ତିନିଭାଇ ଗିରିଧାରୀ ପୁରୋହିତ, ଆଇନଜୀବୀ ରାମ ରତନ ପୁରୋହିତ, ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ପରିବାର ବନ୍ଧୁ, ସଜ୍ୱନ ଉପସ୍ଥିତ ଥିଲେ । ବଡପୁଅ ଶ୍ରୀ ସିଦ୍ଧାନ୍ତ ପୁରୋହିତ ମୁଖାଗ୍ନି ଦେଇଥିଲେ ।