
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ୧୦ ଜଣିଆ ପ୍ରତିନିଧି ଦଳ ଗଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଡାକ ବଙ୍ଗଳା ପରିସରରେ କନ୍ଧ ଓ ବିଞ୍ଝାଳ ସମାଜର ପ୍ରମୁଖ ବ୍ୟକ୍ତିମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ସାଂସଦ ପ୍ରତିନିଧି ପ୍ରିତମ ମେହେରଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ନବକିଶୋର ବରିହାଙ୍କ ସହ କନ୍ଧ ଓ ବିଞ୍ଝାଳ ସମାଜର ପ୍ରତିନିଧିମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏଙ୍କୁ ସାକ୍ଷାତ କରିଥିଲେ । ଆଲୋଚନାରେ କନ୍ଧ ସମାଜର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଯମୁନା କନ୍ଧୁଣୀଙ୍କ ସ୍ମୃତିରେ ଏକ ମନ୍ଦିର ନିର୍ମାଣ କରିବା ନେଇ ଦାବି ଉଠିଥିଲା । ସେହିପରି ବିଞ୍ଝାଳ ସମାଜ ପକ୍ଷରୁ ବୋଡ଼ାସମ୍ବର ଅଞ୍ଚଳର ପ୍ରତିଷ୍ଠା ଓ ବିକାଶରେ ଅବଦାନ ରଖିଥିବା ବାରଭାଇ ବେଣ୍ଟକାରଙ୍କ ଇତିହାସକୁ ପୁନର୍ଜୀବିତ କରିବା ଏବଂ ତାଙ୍କ ଜୀବନୀ ଓ କାର୍ଯ୍ୟକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ଆଲୋଚନା କରାଯାଇଥିଲା । ଉଭୟ ସମାଜର ଐତିହାସିକ ବ୍ୟକ୍ତିତ୍ୱଙ୍କ ଅବଦାନ ସମ୍ପର୍କରେ ଯୁବପିଢ଼ି ଜାଣିବା ସହ ସେମାନଙ୍କ ଜୀବନ ଓ ସଂଘର୍ଷରୁ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଦାବିଗୁଡ଼ିକୁ ସରକାରଙ୍କ ନିକଟରେ ରଖିବା ପାଇଁ କନ୍ଧ ଓ ବିଞ୍ଝାଳ ସମାଜ ପକ୍ଷରୁ ୧୦ ଜଣିଆ ଏକ ପ୍ରତିନିଧି ଦଳ ଗଠନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଲୋଚନା ସମୟରେ କନ୍ଧ ସମାଜ ପକ୍ଷରୁ ନିର୍ମଳ ଚାହିର, ଭଗବତିଆ ମଲ୍ଲିକ, ବିଶି ଚାହିର, ମୁକ୍ତି ମୁଟକିଆ ଓ ହୃଦାନନ୍ଦ ଭୋଇଙ୍କ ସମେତ ବିଞ୍ଝାଳ ସମାଜ ପକ୍ଷରୁ ବିକ୍ରମ ବେଟକାର, ମହେନ୍ଦ୍ର ବେଟକାର, ଭିକାରି ବରିହା, ଚନ୍ଦ୍ରମଣି ସାମିନି, ଅନାଦି ବରିହା, ରିଙ୍କୁ ବରିହା, ପ୍ରଶାନ୍ତ ବରିହା ଓ ବାଦୀମାଲଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଉଭୟ ସମାଜର ଐତିହ୍ୟ, ପରମ୍ପରା ଓ ଐତିହାସିକ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ସଂରକ୍ଷଣ କରିବା ସହ ଏହାକୁ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।