
ମୁରିବାହାଲ ଡ଼ିଗ୍ରୀ କଲେଜରେ ଅନୁଷ୍ଠିତ ପ୍ରଥମ ଛାତ୍ର ସଂସଦ ନିର୍ବାଚନରେ ପୀତବାସ ରଣା ସଭାପତି ଓ ଗଗନ ମହାକୁର ସାଧାରଣ ସମ୍ପାଦକ ନିର୍ବାଚିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା(୧୯୯୮-୯୯)ର ଦୀର୍ଘ ୨୮ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ପରେ ହେଉଥିବା ଏହି ନିର୍ବାଚନରେ ଗୁରୁବାର କେବଳ ସଭାପତି ପଦବୀ ପାଇଁ ୪ଜଣ ଓ ନାଟ୍ୟ ସମ୍ପାଦକ ପଦବୀ ପାଇଁ ମୋଟ ୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟ ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀମାନେ ମନୋନୀତ ହୋଇଥିଲେ । ଏହି ନିର୍ବାଚନରେ ସଭାପତି ରୂପେ ପୀତବାସ ରଣା, ଉପସଭାପତି ଓମପ୍ରକାଶ ମହାକୁର, ସାଧାରଣ ସମ୍ପାଦକ ଗଗନ ମହାକୁର, ସାଂସ୍କୃତିକ ସମ୍ପାଦକ ସନ୍ତୋଷ ଶର୍ମା, ନାଟ୍ୟ ସମ୍ପାଦକ ଅଙ୍କିତ ଦଣ୍ଡସେନା ଓ କ୍ରୀଡ଼ା ସମ୍ପାଦକ ରୂପେ ଆଦିତ୍ୟ ପ୍ରସାଦ ବାଗ ନିର୍ବାଚିତ ହୋଇଥିଲେ । ବିସିଜେଡି ସମର୍ଥିତ ପ୍ରାର୍ଥୀ ପୀତବାସ ରଣା ମୋଟ ୩୯୨ରୁ ୧୯୨ ଭୋଟ ଓ ପରାଜିତ ଏବିଭିପି ପ୍ରାର୍ଥୀ ରୀତେଶ ଷାଣ୍ଢ ୧୮୦ଭୋଟ ପାଇଥିଲେ । ଫଳରେ ୧୨ଟି ଭୋଟରେ ବିସିଜେଡି ପ୍ରାର୍ଥୀ ପୀତବାସ ରଣା ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ସେହିପରି ନାଟ୍ୟ ସମ୍ପାଦକ ରୂପେ ଏବିଭିପି ସମର୍ଥିତ ଅଙ୍କିତ ଦଣ୍ଡସେନା ମୋଟ ୨୨୫ ଭୋଟ ଓ ପରାଜିତ ଧର୍ମରାଜ ବାଗ ୧୪୦ଭୋଟ ପାଇଥିବା ବେଳେ ୮୫ଭୋଟରେ ଅଙ୍କିତ ଦଣ୍ଡସେନା ବିଜୟୀ ହୋଇଥିଲେ । ମୁରିବାହାଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ତଥା ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ସରୋଜ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅଜିତ ଶବର, ପର୍ଯ୍ୟବେକ୍ଷକ ରୂପେ
ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଓ ସହାୟକ ଜିଲ୍ଲାପାଳ ତୁଷାରକାନ୍ତି ମହଲା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଶୁକ୍ରବାର ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ପ୍ରସ୍ତୁତି କରିଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ଥାନା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥିସହ ଲିଙ୍ଗଡୋ କମିଶନଙ୍କ ନିୟମାବଳୀ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏହି ଛାତ୍ର ସଂସଦ ନିର୍ବାଚନରେ ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।