ଭୂତମୁଣ୍ଡା-ଇଚ୍ଛାପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ଭୂତମୁଣ୍ଡା- ଇଚ୍ଛାପୁର (ଢେଙ୍କିମୁଣ୍ଡା) କଚ୍ଚା ରାସ୍ତା ବର୍ଷା ହେତୁ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏହି ଗାଁ ଭୂତମୁଣ୍ଡା ଠାରୁ ୧ କି.ମି. ଦୂରରେ ଅବସ୍ଥିତ । ଏହି ଗାଁରେ ଅନେକ ବର୍ଷ ହେବ ୬୦ରୁ ଅଧିକ ପରିବାର ରହୁଥିବା ବେଳେ ପ୍ରାୟ ପାଖାପାଖି ୪୦୦ ଜଣ ବସବାସ କରୁଛନ୍ତି । କିନ୍ତୁ ଏହି ଗାଁକୁ ଆସିବା ପାଇଁ ଏକ କଚ୍ଚା ରାସ୍ତା ଦୀର୍ଘ ଦିନ ଧରି ରହିଛି । ବର୍ଷା ଋତୁରେ ଏହି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ନିକଟସ୍ଥ ବିଦ୍ୟାଳୟକୁ ଆସିଥାନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ ବିଲ କାମ, ବଜାର, ଡାକ୍ତରଖାନା, ସରକାରୀ କାର୍ଯ୍ୟ ଇତ୍ୟାଦି ପାଇଁ ଯିବା ଆସିବା କରିଥାନ୍ତି । କାଦୁଅ ରାସ୍ତାରେ ଛାତ୍ରଛାତ୍ରୀ ବେଳେ ବେଳେ ପଡିଯାଇ ଖଣ୍ଡିଆଖାବରା ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ପାଖାପାଖି ୨୦ ଫୁଟ ଥିବାବେଳେ ବର୍ତ୍ତମାନ କିଛି ବ୍ୟକ୍ତି ରାସ୍ତା ପାର୍ଶ୍ୱ ଜମିକୁ ଜବରଦଖଲ କରି ଉଭୟ ପାର୍ଶ୍ୱରେ ତାରବାଡ଼ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାଦ୍ୱାରା ଯିବା ଆସିବା ପାଇଁ ଅସୁବିଧା ହେଉଛି । ଏପରି ରୋଗୀସେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବାରେ ଅସୁବିଧା ହୁଏ ବୋଲି ଗ୍ରାମବାସୀ କହିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତାକୁ ଜବରଦଖଲ ଉଚ୍ଛେଦ କରି ପୁନର୍ବାର ରାସ୍ତା ପ୍ରଶସ୍ତିକରଣ କରି ପିଚୁ ରାସ୍ତା କରିବା ପାଇଁ ଗ୍ରାମର ତୁଲାରାମ ସାହୁ, ଯୁଧିଷ୍ଠିର ସାହୁ, ଫାଲଗୁନି ସାହୁ, ବନମାଳୀ ମିର୍ଦ୍ଧା ଶୈଳବନ୍ତ ପ୍ରଧାନ, ଲୋକନାଥ ବାଗ, ଚୂଡ଼ାମଣି ସାହୁ, ଦୀପକ ସାହୁ, ବିହାରୀ ମାଝୀ, ପ୍ରତାପ ଶିକା, ନରସିଂହ ବେରିଆ ତଥା ଗ୍ରାମବାସୀମାନେ ପ୍ରଶାସନକୁ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.