om academy

କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା : ତୁରନ୍ତ କଂଟାବାଂଜିରେ କୋଭିଡ଼ ସେଂଟର ଖୋଲିବାକୁ ଦାବୀ ରଖିଲେ

jsm

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜିରେ ସ୍ୱାସ୍ଥ୍ୟସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଗର୍ଜିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ନିକଟବର୍ତ୍ତୀ ଛତିଶଗଡ଼ରୁ କଂଟାବାଂଜିକୁ ଲୋକେ ଅବାଧ ଯିବା ଆସିବା କରିବା ଦ୍ୱାରା କଂଟାବାଂଜିରେ ବହୁ ସଂଖ୍ୟାରେ ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି । କଂଟାବାଂଜି ହସ୍‌ପିଟାଲ୍‌ରେ ଅଂଚଳର ଲୋକଙ୍କ ଉପଯୁକ୍ତ ଟେଷ୍ଟିଂ ହୋଇ ପାରୁନଥିବା ବେଳେ ଲୋକେ ଧାଡ଼ି ବାଂଧି ଦୀର୍ଘ ସମୟ ଅପେକ୍ଷା କଲେ ମଧ୍ୟ ଟେଷ୍ଟିଂ ସୁବିଧା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଧାୟକ ଶ୍ରୀ ସାଲୁଜା । ସରକାର ସେଠାରେ ଏକ କୋଭିଡ଼ କେୟାର୍‌ ସେଂଟର୍‌ ଆଜି ପର୍ଯ୍ୟନ୍ତ ଖୋଲି ପାରି ନଥିବାରୁ ସ୍ଥିତି ଆହୁରି ଅସମ୍ଭାଳ ହେବାରେ ଲାଗିଛି ବୋଲି ସେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତକାଲି ଜଣେ ଯୁବକ କୋଭିଡ଼ ସଂକ୍ରମଣରେ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଗତ ବର୍ଷ ମୁଁ ଭେଂଟିଲେଟର୍‌ କ୍ରୟ ପାଇଁ ୧୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ତାହା କିଣା ଯାଇନାହିଁ । ସେ କ୍ଷୋଭର ପ୍ରକାଶ କରିଛନ୍ତି ଯେ, କଂଟାବାଂଜିର ଡାକ୍ତରମାନେ ହସ୍‌ପିଟାଲ୍‌ ପ୍ରତି ଦୃଷ୍ଟି ନଦେଇ, ବାହାରେ କ୍ଲିନିକ୍‌ ଖୋଲି ଘରୋଇ ଚିକିତ୍ସାରେ ବ୍ୟସ୍ତ ରହିଛନ୍ତି । ଏଥିଯୋଗୁଁ ମଧ୍ୟ ଅଂଚଳରେ ସ୍ୱାସ୍ଥ୍ୟସେବା ଆହୁରି ବିଗିଡ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ କଂଟାବାଂଜିରେ ସମସ୍ତ ଚିକିତ୍ସା ବ୍ୟବସ୍ଥା ସଂପନ୍ନ କୋଭିଡ଼ ସେଂଟର୍‌ ଖୋଲାଯାଉ ବୋଲି ସେ ଦୃଢ଼ ଦାବୀ କରିଛନ୍ତି । ବଲାଙ୍ଗିର ସିଡ଼ିଏମ୍‌ଓଙ୍କ ଅବହେଳା ଉପରେ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି ଯେ, କିଛି ଦିନ ତଳେ ବିବେକ ମେହେର ସିରିଏସ୍‌ ଥିବା ବେଳେ ତାଙ୍କୁ ଗୋଟିଏ ଆମ୍ପୁଲେନ୍ସ ଯୋଗାଇ ଦେଇ ନଥିଲେ ସିଡ଼ିଏମ୍‌ଓ । ଯାହାଫଳରେ ଗୁରୁତର ଅବସ୍ଥାରେ ସ୍ଥାନାନ୍ତର ବେଳେ ବିବେକ ମେହେର ରାସ୍ତାରେ ପ୍ରାଣ ହରାଇଥିଲେ । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ କଂଟାବାଂଜିରେ କୋଭିଡ଼ ସେଂଟର ଖୋଲିବାକୁ ପଦକ୍ଷେପ ନେବା ପାଇଁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.