jayashree

ସୋନପୁର ପୋକ୍ସୋ କୋର୍ଟଙ୍କ ଐତିହାସିକ ରାୟ । ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୨ ବର୍ଷ ୭ ମାସ ୨୫ ଦିନ ସଶ୍ରମ କାରାଦଣ୍ଡ ସହ ଜରିମାନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୀର୍ଘ ୧୧ ବର୍ଷ ପରେ ନ୍ୟାୟ ମିଳିଲା । ସୋନପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ମାନ୍ୟବର ବିଚାରପତି ଦିଲ୍ଲୀପ କୁମାର ବିଶ୍ୱାଳ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ବିଚାର କରି ରାୟ ପ୍ରକାଶ କରିଛନ୍ତି । ଏହି ମାମଲା ହେଉଛି SPL. G.R. CASE NO. 194 OF 2015 । ଏଥିରେ ସୋନପୁର ଥାନା ଅନ୍ତର୍ଗତ ଜନମୁରା ଗ୍ରାମର ଅଭିଯୁକ୍ତ ସୁରେଶ ପଧାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ଗତ ୧୪.୦୧.୨୦୧୫ ରିଖ ରାତି ପ୍ରାୟ ୧୦ ଟା ସମୟରେ ୧୬ ବର୍ଷର ଜଣେ ନାବାଳିକାକୁ ତାର ଘର ପାଖରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୬୪/୨୦୧୫ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତଦନ୍ତ ପରେ ତଦନ୍ତକାରୀ ଅଧିକାରୀ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୬୬/୩୭୬/୨୯୪/୩୨୩/୩୪୧/୩୫୪/୩୪, ପୋକ୍ସୋ ଆକ୍ଟର ଧାରା ୬ ଓ SC & ST Actର ଧାରା ୩(୧)(xi) ଅଧୀନରେ ଅଭିଯୁକ୍ତ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ରାୟ ପ୍ରକାଶ କରି ମାନ୍ୟବର କୋର୍ଟ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତକୁ ୨୨ ବର୍ଷ ୭ ମାସ ୨୫ ଦିନର ସଶ୍ରମ କାରାଦଣ୍ଡ ସହ ୩୦,୦୫୦ ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ଭାରତୀୟ ପିଙ୍ଗଳ କୋଡ୍ (IPC) ର ଧାରା ୩୬୬ ଅନୁଯାୟୀ ୪ ବର୍ଷ ୪ ମାସ କାରାଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସମସ୍ତ ଦଣ୍ଡ ଏକାସଙ୍ଗେ ଚାଲିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଆଦାୟ ହେବାକୁ ଥିବା ଜରିମାନା ରାଶି ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ବେଣୁଲାଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯୋଜକ ବିପିନ ବିହାରୀ ବିଦ୍ୟାଧର ମାମଲାଟିକୁ ପରିଚାଳନା କରିଥିଲେ ଓ ଏଥିରେ ସହ-ନିର୍ଦ୍ଦେଶକ ହିମାଂଶୁ ଶେଖର ପଣ୍ଡା ସହଯୋଗ କରିଥିଲେ ।। ଏହି ରାୟ ପରେ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି । ନାବାଳିକାଙ୍କ ପ୍ରତି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ କଡ଼ା ବାର୍ତ୍ତା ବୋଲି ଆଇନଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.