
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲାରେ ସୋନପୁର ମହିଳା ଅଦାଲତ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ମାନ୍ୟବର ବିଚାରପତି (ସିଭିଲ ଜଜ୍, ସିନିୟର ଡିଭିଜନ) ଶ୍ରୀମତୀ ବବିତା ପାତ୍ର ଡୁଙ୍ଗୁରିପାଲି ଥାନା କରଲାଜୁରୀ ଗ୍ରାମର ଅଭିଯୁକ୍ତ ତେଜରାଜ ହରିପାଲ ଏବଂ ଭୋଜରାଜ ହରିପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଉଭୟ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ୍ ଧାରା ୩୨୩/୩୪ ଅନୁଯାୟୀ ୬ ମାସ ସାଧାରଣ କାରାଦଣ୍ଡ ଏବଂ ଧାରା ୩୫୪/୩୪ ଅନୁଯାୟୀ ୧ ବର୍ଷ ସାଧାରଣ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧,୦୦୦ ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି । ଉଭୟ ଦଣ୍ଡାଦେଶ ଏକକାଳୀନ ଚାଲିବ । ଅଭିଯୋଗ ଅନୁଯାୟୀ, ଗତ ୧୬.୦୯.୨୦୧୯ ରିଖ ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ କରଲାଜୁରୀ ଗ୍ରାମର ଅଭିଯୋଗକାରୀ ବିଷ୍ଣୁ ହରିପାଲଙ୍କ ପତ୍ନୀ ଆଶାମୟୀ ବାରିକ ନିଜ ଘର ଦାଣ୍ଡରେ ଝାଡ଼ୁ ମାରୁଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତ ତେଜରାଜ ଓ ଭୋଜରାଜ ସେଠାକୁ ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ ଓ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି ବିଷ୍ଣୁ ହରିପାଲ, ତାଙ୍କ ମାଆ ଗୁଳ ହରିପାଲ ଓ ଭଉଣୀ ବୁଇ ହରିପାଲ ସେଠାରେ ପହଞ୍ଚି ଛଡ଼ାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ବିଷ୍ଣୁ ହରିପାଲ ସେହିଦିନ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଡୁଙ୍ଗୁରିପାଲି ପୋଲିସ କେସ୍ ନଂ ୧୪୦/୨୦୧୯ (ଜି.ଆର୍. କେସ୍ ନଂ ୧୮୮/୬୪ ଅଫ୍ ୨୦୧୯)ରେ ଏକ ମାମଲା ରୁଜୁ କରିଥିଲା । ତଦନ୍ତକାରୀ ଅଧିକାରୀ ପ୍ରତାପ ଚନ୍ଦ୍ର ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମୋଟ ୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅଦାଲତ ଅଭିଯୁକ୍ତମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ସହ-ନିର୍ଦ୍ଦେଶକ ହିମାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସରକାରଙ୍କ ତରଫରୁ ସହାୟକ ଅଭିଯୋଜକ ଶ୍ରୀମତୀ ପ୍ରଣତି କୁମ୍ଭାର ମାମଲାଟିକୁ ପରିଚାଳନା କରୁଥିଲେ ।