jayashree

ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନା ଓ ଅମୃତା ହସ୍ପିଟାଲର ମିଳିତ ସହଯୋଗରେ ଶିଶୁ ହୃଦରୋଗ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମାଗଣା ସ୍ୱାସ୍ଥ୍ୟ ଶିବିର

  • ୨୦୪୭ ସୁଦ୍ଧା ସୁସ୍ଥ ଓ ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା ଆମର ପ୍ରାଥମିକତା : ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଜାତ ହୃଦରୋଗରେ ପୀଡ଼ିତ ଶିଶୁମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇଦେବା ଏବଂ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମ ପରିସରରେ ଏକ ସ୍ୱତନ୍ତ୍ର ମାଗଣା ଶିଶୁ ହୃଦରୋଗ ଯାଞ୍ଚ ଶିବିର ଆୟୋଜିତ ହୋଇଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରର ଶୁଭାରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ କେରଳର କୋଚିସ୍ଥିତ ଅମୃତା ହସ୍ପିଟାଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଆଧାରରେ ଏହି ଶିବିର ଆୟୋଜନ କରାଯାଇଥିଲା । ଅମୃତା ହସ୍ପିଟାଲର ବିଶେଷଜ୍ଞ ଶିଶୁ ହୃଦରୋଗ ଡାକ୍ତରୀ ଦଳ ଆଧୁନିକ ଇକୋମେସିନ୍‌ ସହାୟତାରେ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଥିବା ପ୍ରାୟ ୧୪୦ ଜଣ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ପରୀକ୍ଷା ପରେ ଯେଉଁ ଶିଶୁମାନଙ୍କର ହୃଦ୍‌ରୋଗ ଅସ୍ତ୍ରୋପଚାର ଆବଶ୍ୟକ ହେବ, ସେମାନଙ୍କୁ ସରକାରୀ ଖର୍ଚ୍ଚରେ ଟ୍ରେନ୍‌, ବିମାନ କିମ୍ବା ଜରୁରୀ ପରିସ୍ଥିତିରେ ଏୟାରଲିଫ୍ଟ ମାଧ୍ୟମରେ କୋଚି, ଦିଲ୍ଲୀ ଓ ମୁମ୍ବାଇର ପ୍ରମୁଖ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯିବ । ଏହି ଅବସରରେ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଥିଲେ ଯେ, “ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ସଂକଳ୍ପକୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ଶିଶୁଙ୍କୁ ସୁସ୍ଥ ଓ ସକ୍ଷମ କରିବା ଅତ୍ୟନ୍ତ ଜରୁରୀ । କୌଣସି ଶିଶୁ ଯେପରି ଉପଯୁକ୍ତ ଚିକିତ୍ସା ଅଭାବରୁ ଅବହେଳିତ ହୋଇ ନ ରହେ, ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରତ୍ୟେକ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇ ତ୍ଵରିତ ବେଗରେ ସ୍ୱାସ୍ଥ୍ୟ ଭିତ୍ତିକ ଅସୁବିଧା ସମାଧାନ କରାଯାଉଛି ବୋଲି କହିଛନ୍ତି । ସେ ଆହୁରି କହିଥିଲେ ଯେ, ଘରୋଇ ହସ୍ପିଟାଲରେ ଏଭଳି ଜଟିଳ ହୃଦରୋଗ ଅସ୍ତ୍ରୋପଚାର ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ରାଷ୍ଟ୍ରୀୟ ବାଳ ସୁରକ୍ଷା ଯୋଜନା ମାଧ୍ୟମରେ ଚିକିତ୍ସା ପାଇଁ ଆବଶ୍ୟକ ଅସ୍ତ୍ରୋପଚାର, ଯାତାୟାତ ଓ ରହିବା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ବହନ କରାଯାଉଛି । ବିଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନା ଅଧୀନରେ ରାଜ୍ୟର ୯,୭୦୦ରୁ ଅଧିକ ଶିଶୁ ଚିକିତ୍ସିତ ହୋଇ ସୁସ୍ଥ ଜୀବନ ଫେରିପାଇଛନ୍ତି । ଏହି ଯୋଜନାରେ ବଲାଙ୍ଗିରରୁ ୭୫୧ ଜଣ, କଳାହାଣ୍ଡିରୁ ୪୫୬ ଜଣ, ବରଗଡ଼ରୁ ୧୫୪ ଜଣ, ନୂଆପଡ଼ାରୁ ୧୦୫ ଜଣ, ସୁବର୍ଣ୍ଣପୁରରୁ ୫୦ ଜଣ ଏବଂ ବୌଦ୍ଧରୁ ୨୨ ଜଣ ଶିଶୁ ଉପକୃତ ହୋଇଛନ୍ତି । ଶିଶୁମାନଙ୍କ ମଧ୍ୟରେ ରହିଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଘରକୁ ଘର ବୁଲି ଚିହ୍ନଟ କରିବାରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତରୀ ଦଳଙ୍କ ଅବଦାନକୁ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହ ଅମୃତା ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଅମୃତା ହସ୍ପିଟାଲ, କୋଚିର ଶିଶୁ ହୃଦରୋଗ ବିଭାଗର ମୁଖ୍ୟ ସର୍ଜନ ଡା. ବ୍ରିଜେଶ ପି. କେ., ସହକାରୀ ପ୍ରଫେସର ତଥା ପରାମର୍ଶଦାତା ଶିଶୁ ହୃଦରୋଗ ବିଶେଷଜ୍ଞ ଡା. ନିଶାନ୍ତ ଏସ୍., ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ବିଷ୍ଣୁ, ଆଇନଜୀବୀ ତଥା ଆଞ୍ଚଳିକ ସଂଯୋଜକ ରାଜେଶ କୁମାର ଦାସ, ପ୍ରମୁଖ କାର୍ଯ୍ୟନିର୍ବାହୀ ପାବକ ପଣ୍ଡା ଏବଂ ଓଡ଼ିଶା ସଂଯୋଜକ ଗୌରୀ ଶଙ୍କର ସିଂହଙ୍କ ସମେତ ବିଭିନ୍ନ ଜିଲ୍ଲାର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ ଅଫିସର, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସେହିପରି ମାନ୍ୟବର ମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ୍‌ସ୍ଥିତ ସରସ୍ୱତୀ ଶିଶୁମନ୍ଦିରଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୧୪୦ତମ ସଂସ୍କରଣ ଶୁଣିଥିଲେ । ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ନିଶାମୁକ୍ତ ଭାରତ ଗଠନ, ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା, ‘iGOT Karmayogi’ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ କର୍ମଚାରୀଙ୍କ ଦକ୍ଷତା ବିକାଶ, ‘ସଞ୍ଚାର ସାଥି’ ମାଧ୍ୟମରେ ଡିଜିଟାଲ ସୁରକ୍ଷା ଓ ସାଇବର ଠକେଇରୁ ସତର୍କତା ଭଳି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଭାରତର କଳା, ସଂସ୍କୃତି ଓ ସ୍ଥାନୀୟ ପରମ୍ପରାର ସଂରକ୍ଷଣ ସହ ‘ଫିଟ୍ ଇଣ୍ଡିଆ’ ଓ ‘ସଣ୍ଡେଜ୍ ଅନ୍ ସାଇକେଲ୍’ ଭଳି ପଦକ୍ଷେପ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ଦେଇଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ଲୋଇସିଂହା ସରସ୍ୱତୀ ଶିଶୁମନ୍ଦିରଠାରେ ସାମାଜିକ ଅନୁଷ୍ଠାନ ଡିବିରି, ଏସକେପି ଫାଉଣ୍ଡେସନ୍ ଏବଂ ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି ହସ୍ପିଟାଲର ମିଳିତ ସହଯୋଗରେ ଆୟୋଜିତ ନିଃଶୁଳ୍କ କିଡନୀ ପରୀକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ଶିବିରରେ ଯୋଗଦେଇଥିଲେ । ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଅଞ୍ଚଳରେ କିଡନୀ ରୋଗର ପ୍ରାରମ୍ଭିକ ଚିହ୍ନଟ, ନିରାକରଣ ଓ ଜନସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ତେଲ ଓ ଚର୍ବିଜାତୀୟ ଖାଦ୍ୟର ବ୍ୟବହାର ହ୍ରାସ, ଓଜନ ଓ ମୋଟାପା ନିୟନ୍ତ୍ରଣ, ନିୟମିତ ଯୋଗ ଓ ପ୍ରାଣାୟାମ ଏବଂ ସାଇକେଲ ଚାଳନା ଭଳି ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଭଳି ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ଏକ ସୁସ୍ଥ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ସାମୂହିକ ପ୍ରୟାସ ଜାରି ରହିବ ବୋଲି ମାନ୍ୟବର ମନ୍ତ୍ରୀ ଆଶାବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.