pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧିଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ପ୍ରଥମ ମ୍ୟାଚ୍‌ ନାଏକ କ୍ରିକେଟ ଏକାଡେମୀ ଓ ନବକିଶୋର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନାଏକ କ୍ରିକେଟ ଏକାଡେମୀ ପ୍ରଥମେ ନବକିଶୋର ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ନବକିଶୋର ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟି ୩୪.୧ ଓଭରରେ ସମସ୍ତ ଉଇକେଟ ହରାଇ ୧୩୧ ରନ୍‌ ସ୍କୋର କରିଥିଲେ । ଦଳ ପକ୍ଷରୁ ଆୟୁଷ୍ମାନ ଦାସ ୧୬ ରନ୍‌ ଓ ସୌରଭ କୁମାର ସାହୁ ୨୩ ରନ୍‌ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍‌ରେ ନାଏକ କ୍ରିକେଟ ଏକାଡେମୀ ଦଳ ଭଲ ବୋଲିଂର ପ୍ରଦର୍ଶନ କରିଥିବାରୁ ନବକିଶୋର ଦଳ ବଡ ସ୍କୋର କରିବାକୁ ସମର୍ଥ ହୋଇନଥିଲା । ଦଳ ପକ୍ଷରୁ ସତ୍ୟଜିତ ସିଂହଦେଓ ଓ ଅଂଶୁମାନ ମିଶ୍ର ଉଭୟେ ୪ ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୧୩୨ ରନ୍‌ର ବିଜୟ ଲକ୍ଷକୁ ପିଛାକରି ନାଏକ ଏକାଡେମୀ ଦଳ ୪୦.୨ ଓଭରରେ ୪ ଉଇକେଟ ବିନିମୟରେ ଆବଶ୍ୟକ ୧୩୨ ରନ୍‌ ସଂଗ୍ରହ କରି ବିଜୟ ହୋଇଥିଲେ । ଦଳ ପକ୍ଷରୁ ଅଂଶୁମାନ ମିଶ୍ର ଅପରାଜିତ ୫୨ ରନ୍‌ ଓ ଅନୁରାଗ ପ୍ରଧାନ ଅପରାଜିତ ୩୭ ରନ୍‌ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବେ ଆୟୁଷ୍ମାନ ଦାସ ୨ ଗୋଟି ଉଇକେଟ, ଜିତେନ୍ଦ୍ର ଥପା ଓ ଓମ୍‌କାର ମହାନ୍ତି ଉଭୟେ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଅଂଶୁମାନ ମିଶ୍ରଙ୍କୁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ରାଜେନ୍ଦ୍ର ସେଠ୍‌ ଓ ରଜତ ଦାସ ପରିଚାଲନା କରିଥିବା ବେଳେ ଅନ୍‌ଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ଗୁରୁବାର ସୁପର ଲିଗ୍‌ର ଦ୍ୱିତୀୟ ମ୍ୟାଚ୍‌ଟି ଟିଟିଲାଗଡ଼ ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

one + fourteen =