pakka

ନକଲି ସିମେଣ୍ଟ କାରଖାନା ଠାବ

କଳିଙ୍ଗନଗର : ନକଲି ସିମେଣ୍ଟ କାରଖାନା ଠାବ କରାଯାଇଥିବା ସୂଚନା ମିଳିଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାକୁ ପୋଲିସ ଗୁରୁବାର ରାତିରେ ଠାବ କରିଛି । ଏଥିସହିତ ଘଟଣାସ୍ଥଳରୁ ପାଖାପାଖି ୨୦୦ ବସ୍ତାରୁ ଊର୍ଦ୍ଧ୍ୱ ସିମେଣ୍ଟ ବସ୍ତା ଜବତ କରିଛି । ଏହି ଘାଟଣାରେ ପୋଲିସ ୪ଜଣ (ସିମେଣ୍ଟ କାରଖାନାର ସୁପରଭାଇଜର, ମାଲିକ, ଟ୍ରକ୍‌ ଡ୍ରାଇଭର ଓ ଟ୍ରକ ମାଲିକ)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।
ଏହି ନକଲି କାରଖାନାର ମାଲିକ ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ତେବେ ପୋଲିସ ଥାନାରେ ଅଟକ ରଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଅଛନ୍ତିକି ନାହିଁ ପୋଲିସଠାରୁ କୌଣସି ସୂଚନା ମିଳିନାହିଁ । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଅଟକ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରୁନାହିଁ । ତେବେ ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି ପୋଲିସ କହିଛି । ସୂଚନା ଯୋଗ୍ୟ ଯେ, ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ନକଲି ସିମେଣ୍ଟ କାରଖାନା ଚାଲିଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଏକ ପୁରୁଣା ରାଇସ ମିଲ ମେଶିନ ପୋଲିସ ଦେଖିଥିଲା । ଏହି ମେଶିନରେରେ ନଷ୍ଟ ହୋଇଯାଇଥିବା ମୁଣ୍ଡା ସିମେଣ୍ଟକୁ ଗୁଣ୍ଡ କରାଯାଇ ଅଲଟ୍ରାଟେକ ନାମ ଲେଖାଥିବା ସିମେଣ୍ଟ ବସ୍ତାରେ ଭର୍ତ୍ତି କରି ବିକ୍ରି କରାଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏପରି କି ନକଲି ସିମେଣ୍ଟକୁ ଅସଲି ସିମେଣ୍ଟଠାରୁ ମାତ୍ର ୨୦ରୁ ୩୦ଟଙ୍କା କମ୍‌ ମୂଲ୍ୟରେ ବିକ୍ରି କରି ସମ୍ପୃକ୍ତ ମାଲିକ ମାଲାମାଲ ହେଉଥିଲେ । ତେବେ କଳିଙ୍ଗନଗର-ଚଣ୍ଡିଖୋଲ ତ୍ୱରିତ ରାଜପଥର ୨୦୦ ମିଟର ଦୂରରେ ଏହି କାରଖାନା ଚାଲୁଥିଲେ ମଧ୍ୟ ପୋଲିସ ଜାଣି ନ ପରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.

sixteen + 5 =