ତେଲ ଚୋରି ଉଦ୍ୟମ ବେଳେ ବୋଲେରୋ ଓ ବାଇକ୍‌ ଜବତ : ୪ ଗିରଫ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ବୁଧବାର ଠାକୁରାଣୀ ଅଞ୍ଚଳରୁ ୨ଟି ଗ୍ୟାଲେନ ଭର୍ତ୍ତି ୧୦୦ ଲିଟର ଚୋରା ଡିଜେଲ, ଏକ ବୋଲେରୋ ଏବଂ ଏକ ବାଇକ୍‌ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରାଣୀ ଅଞ୍ଚଳର ଏମ୍‌ଡି ସୈଫ୍‌, ସେଡିଂ ବସ୍ତି ଅଞ୍ଚଳର ପାଟ ଗୋପ, ବୁରୁ ହଟିଂ ଅଞ୍ଚଳର ଶିବଶଙ୍କର ମହାକୁଡ଼ ଏବଂ ଦଲକି ବସ୍ତି ଅଞ୍ଚଳର ରାଜୁ ମୁଣ୍ଡା ।

ସୂଚନାନୁଯାୟୀ, ଗତ ୧୦ ତାରିଖ ସୋମବାର ବିଳମ୍ବିତ ରାତିରେ ଠାକୁରାଣୀସ୍ଥିତ ମିତଲ ମାଇନ୍ସର ଟ୍ରକ୍‌ ପାର୍କିଂରେ ବଡ଼ବିଲ ବସ୍ତିର ସୁନୀଲ ମହାନ୍ତଙ୍କ ଓଡି ୦୯ ଡବ୍ଲ୍ୟୁ ୮୮୦୯ ନମ୍ବର ବିଶିଷ୍ଟ ହାଇୱ ଟ୍ରକ୍‌ ଛିଡ଼ା ହୋଇଥିଲା । ଏହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କ ଟ୍ରକର ତେଲ ଟାଙ୍କିରୁ ତେଲ ଚୋରି ଉଦ୍ୟମ କରୁଥିବା ଟ୍ରକ୍‌ ଚାଳକ ଦେଖିପାରି ପାଟି କରିଥିଲେ । ଫଳରେ ଚୋରଦଳ ସେଠାରୁ ଚମ୍ପଟ ମାରିଥିଲେ । ଏ ନେଇ ସୁନୀଲ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ବଡ଼ବିଲ ଥାନା କେସ୍‌ ନଂ ୨୫୧/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଘଟଣାସ୍ଥଳକୁ ଯାଇ ଚଢ଼ାଉ କରିଥିଲା । ସେଠାରେ ଥିବା ବୋଲେରୋରେ ୨ଟି ଗ୍ୟାଲେନରେ ଭର୍ତ୍ତି ୧୦୦ ଲିଟର ଡିଜେଲ, ଏକ ବାଇକ୍‌ ଜବତ କରିବା ସହ ଉକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

15 − two =