
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲାରେ ଅବୈଧ ଧାନ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ କଡ଼ା ଯାଞ୍ଚ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟ ଧରମବନ୍ଧା ଗ୍ରାମ ପାଖରେ ଏକ ଗାଡ଼ିରେ ଚଢ଼ାଉ କରାଯାଇ ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି । ସୂଚନା ଅନୁଯାୟୀ, ସିଜି ୦୪ ଏଲ୍ଜେ ୪୫୫୨ ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଛତିଶଗଡ଼ରୁ ଅବୈଧ ଭାବେ ଧାନ ପରିବହନ କରାଯାଉଥିବା ଅଭିଯୋଗରେ ପୋଲିସ ଓ ଆର୍ଏମ୍ସି କର୍ମଚାରୀମାନେ ଖୋଲନା ଚେକପୋଷ୍ଟ ନିକଟରେ ଗାଡ଼ିଟିକୁ ଅଟକାଇଥିଲେ । ପରେ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ସୂଚନା ଦିଆଯାଇଥିଲା । ଯାଞ୍ଚ ସମୟରେ ଗାଡ଼ିରୁ ୧୧୦ ବସ୍ତାରେ ପ୍ୟାକ୍ ହୋଇଥିବା ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା । ଗାଡ଼ିର ଚାଳକ ଛବି ମହାରଙ୍କୁ ପଚରାଉଚରା କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି । ଏହି ଚଢ଼ାଉ କାର୍ଯ୍ୟରେ ସଦର ସହକାରୀ ଯୋଗାଣ ଅଧିକାରୀ ହୃଷୀକେଶ ନାୟକ, ନୂଆପଡା ଯୋଗାଣ ନିରୀକ୍ଷକ ସୁଭଶ୍ରୀ ଦାଶ ଓ କୋମନା ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସମେତ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର କର୍ମଚାରୀମାନେ ସାମିଲଥିଲେ ।