ଭଡ଼ାଟିଆଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ଲାକମେଲିଂର ଶୀକାର : ପୋଲିସ କାବୁରେ ଦୁଇ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମାଜରେ ବ୍ଲାକ୍‌ମେଲ୍‌ ଘଟଣା ମାରାତ୍ମକ ରୂପ ଧାରଣ କରିଥିବା ବେଳେ ପୁଣି ଏକ ବ୍ଲାକ୍‌ମେଲିଂ ଖବର ସାରା ବଲାଙ୍ଗିର ସହରବାସୀଙ୍କ ହୋସ୍‌ ଉଡେ଼ଇ ଦେଇଛି । ଦୁଇ ଜଣ ଭଡ଼ାଟିଆ ମହିଳା ଓ ପୁରୁଷଙ୍କ ଦ୍ୱାରା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ଲାକମେଲିଂର ଶୀକାର ହୋଇଥିବା ବେଳେ ଏବେ ପୋଲିସ କାବୁରେ ଅଛନ୍ତି ଦୁଇ ଜଣ ଅଭିଯୁକ୍ତ । ବଲାଙ୍ଗିର ଟାଉନ୍‌ ପିଏସ୍‌ କେସ୍‌ ନଂ.୪୫୭/୦୯.୦୯.୨୦୨୨, ଦଫା ୨୭୨/୩୮୬/୩୨୮/୩୪ ଆଇପିସି/ଆର୍‌ଡବ୍ଲ୍ୟୁ ସେକ୍‌ସନ୍‌.୬୬(ଇ) ଆଇଟି ଆକ୍ଟ ଅଧୀନରେ ପୋଲିସ ଏବେ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ରେଲୱେ ଷ୍ଟେସନ୍‌ ନିକଟସ୍ଥ ସାଗର କଲୋନୀର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ୟାମସୁନ୍ଦର ମିଶ୍ର ଥାନାରେ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ବିଶ୍ୱାମିତ୍ର ନାଏକ ଓ ଲଳିତା ବାରିକ ତାଙ୍କ ଘରେ ଗତ ଅଗଷ୍ଟ ମାସରୁ ଭଡ଼ାରେ ରହୁଥିବା ବେଳେ ଭଡ଼ାଟିଆ ଦୁହେଁ ତାଙ୍କ ଘରକୁ ଆସି ତାଙ୍କ ସହ ଚିହ୍ନା ପରିଚୟ ବଢ଼ାଇଥିଲେ । ଗତ ଅଗଷ୍ଟ ମାସ ୯ ତାରିଖ ଦିନ ସଂଧ୍ୟା ସମୟରେ ଘର ମାଲିକ ଶ୍ୟାମସୁନ୍ଦର ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ କିଛି ନିଶା ଦ୍ରବ୍ୟ ମିଶାଇ ଥଣ୍ଡା ପାନୀୟ ପିଆଇ ତାଙ୍କ ଅଚେତ ହେବାର ସୁଯୋଗ ନେଇ କିଛି ଅଶ୍ଲୀଳ ଭିଡ଼ିଓ ତିଆରି କରିବା ସହ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲେ । ତାଙ୍କଠାରୁ ତିନି କିସ୍ତିରେ ୩ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ଅଭିଯୁକ୍ତମାନେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଦାବୀ କରିଥିବା ଘର ମାଲିକ ଶ୍ୟାମସୁନ୍ଦର କହିଛନ୍ତି । ଅଭିଯୁକ୍ତମାନଙ୍କୁ ୩ ଲକ୍ଷ ଟଙ୍କା ଦେଇ ସାରିବା ପରେ ମାନସିକ ଭାବରେ ଚାପଗ୍ରସ୍ତ ହୋଇ ଘରମାଲିକ ଶ୍ରୀ ମିଶ୍ର ହଠାତ୍‌ ଘରୁ ଚାଲିଯିବାରୁ ତାଙ୍କ ନିଟକ ସଂପର୍କୀୟମାନେ ତୁରନ୍ତ ତାଙ୍କୁ ଠାବ କରିବା ସହ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଏବଂ ମାମଲା ଥାନାରେ ପହଂଚିଥିଲା । ଏ ମାମଲାରେ ପୋଲିସ ଆହୁରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.