ଛତ୍ରପୁର ଖବର କାଗଜ ବିତରକ ସଂଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଖବର କାଗଜ ବିତରକ/ବିକ୍ରେତା ମାନେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିଥାନ୍ତି । କରୋନା ଭଳି ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଖରେ ଖବର କାଗଜ ପହଞ୍ଚାଇଛନ୍ତି । ଯାହାଫଳରେ ଲୋକମାନେ କରୋନାରୁ କିପରି ଦୂରେଇ ରହିବେ,ସଚେତନତା ସମ୍ବନ୍ଧରେ ଜାଣିପାରୁଛନ୍ତି । ଖବର କାଗଜର ବିତରକ ବନ୍ଧୁଙ୍କୁ ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ତରଫରୁ କୌଣସି ଆଶୁ ସୁବିଧା ସୁଯୋଗ, ପ୍ରୋତ୍ସାହନ ମଧ୍ୟ ଏଭଳି ଭୟଙ୍କର ମହାମାରୀ ସମୟରେ ମିଳିନାହିଁ କିମ୍ବା ସେମାନଙ୍କୁ କରୋନା ଯୋଦ୍ଧାର ଜଣେ ଜଣେ ସ୍ବେଛାସେବୀ ଭାବେ ମଧ୍ୟ ମାନ୍ୟତା ପ୍ରଶାସନ ନିକଟରେ ଗ୍ରହଣୀୟ ହୋଇ ନଥିବା ଏକ କ୍ଷୋଭର ବିଷୟ ଅଟେ । ଏଭଳି ପରୋପକାରୀ ମଣିଷଙ୍କୁ କୋରନା ଯୋଦ୍ଧା ଭାବେ ମାନ୍ୟତା ପ୍ରଦାନ କରିବା ନିମନ୍ତେ ଜିଲ୍ଲା ମହକୁମା ଛତ୍ରପୁରର ଖବର କାଗଜ ବିତରକ/ବିକ୍ରେତା ସଂଘ ପକ୍ଷରୁ ଦାବୀ କରାଯାଇଛି । ଏନେଇ ରବିବାର ଛତ୍ରପୁର ନିକଟ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ମା’ ଉଜ୍ଜଳେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସଂଘର ବରିଷ୍ଠ ସଦସ୍ୟ ସୁର୍ୟ୍ୟ ନାରାୟଣ ଶତପଥୀଙ୍କ ପୌରାହିତ୍ୟରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସହର ସମସ୍ତ ଖବର କାଗଜ ବିକ୍ରେତା ମାନେ ଯୋଗଦେଇ ସଂଘର ଉନ୍ନତି ସକାଶେ ଆଲୋଚନା କରିଥିଲେ । ଏହାସହିତ ସଂଘର ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଯୁବ ଆଇନଜୀବୀ କିଶୋର ଚନ୍ଦ୍ର ସେନାପତି, ଉପସଭାପତି ଭାବେ କେ. ଋମେଶ, ସାଧାରଣ ସଂପାଦକ ଭାବେ ନିରଞ୍ଜନ ଦାଶ, ସହ ସମ୍ପାଦକ ସୁର୍ୟ୍ୟ ନାରାୟଣ ଶତପଥୀ ଓ ଉପଦେଷ୍ଟା ଭାବେ ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣାଙ୍କୁ ସର୍ବସମ୍ମତି ଭାବେ ଚୟନ କରାଯାଇଥିଲା । ସମସ୍ତ ଖବର କାଗଜ ବିତରକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହିତ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ସଂଘର ସମସ୍ତ ସଦସ୍ୟ ମାନଙ୍କ ବୀମା ଯୋଜନା କରାଯିବା, ସଭିଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଛି । ସଂଘ ସଭାପତି କିଶୋର ଚନ୍ଦ୍ର ସେନାପତି ବିଭିନ୍ନ ଆନୁସଂଗିକ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଉପସଭାପତି କେ.ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ନିରଞ୍ଜନ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ବୈଠକରେ ସୁଶାନ୍ତ କୁମାର ମହାରଣା, ଏ.କେ. ଗୋବିନ୍ଦ ରାଓ, ଗଣେଷ ରେଡ୍ଡି, କୈଳାଶ ଚନ୍ଦ୍ର ପଣ୍ଡା, ସନ୍ତୋଷ ଗୌଡ, ବ୍ରଜବନ୍ଧୁ ରାଉଳ, ସଂଗ୍ରାମ ବ୍ରହ୍ମା, ଦିଲ୍ଲୀପ କୁମାର ଦାସ, କେ. ପୁରୁଷୋତ୍ତମ ପାତ୍ର, ଦୁର୍ଗା ପ୍ରସାଦ ସାମନ୍ତରା, ଭୁବନେଶ୍ୱର ସାହୁ ଓ ଏସ.ଏନ. ବେହେରାଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 5 =