pakka

ଲୋୟର ସୁକତେଲ ବୁଡି ଅଞ୍ଚଳରେ ଲୋକଙ୍କ ବିନା ସହମତିରେ ଜବରଦସ୍ତ ସର୍ଭେ କାର୍ଯ୍ୟକ୍ରମକୁ ଲୋୟର ସୁକତେଲ ସଂଗ୍ରାମ ପରିଷଦର ବିରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଡଶଙ୍କର ଡୁଙ୍ଗୁରିପାଲିଠାରେ ତା.୦୮.୦୮.୨୦୨୨ରିଖ ଦିନ ଲୋୟର ସୁକତେଲ ସଂଗ୍ରାମ ପରିଷଦ ଓ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଲୋୟର ସୁକତେଲ ବୁଡି ଅଞ୍ଚଳରେ ଲୋକଙ୍କ ବିନା ସହମତିରେ ୨୦୧୩ ଆଇନର ୧୧ (୧) ଧାରା ନୋଟିସ ଲଗାଇ ସମ୍ପୃକ୍ତ ବିଭାଗ ଜବରଦସ୍ତ ସର୍ଭେ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଥିଲା । ସଭାରେ ମତ ପ୍ରକାଶ ପାଇଥିଲା ଯେ, ଅଞ୍ଚଳର ଲୋକଙ୍କୁ ଅବଗତ ନ କରି ତଥା ତାଙ୍କ ସହମତି ନ ନେଇ ୨୦୧୩ ଆଇନର ୧୧ (୧) ଧାରାକୁ ବିଜ୍ଞପ୍ତି ଜାରି ନେଇ ବୈଠକରେ ସଂଗ୍ରାମ ପରିଷଦର ବିରୋଧ ଆସିଥିଲା । ଲୋୟର ସୁକତେଲ ନିମ୍ନ ଜଳସେଚନ ପ୍ରକଳ୍ପ ବିଭାଗ ବିନା ପଲ୍ଲୀସଭା ତଥା ଲୋକଙ୍କ ବିନା ସହମତିରେ ନୋଟିସ ଜାରି କରିବା, ବିସ୍ଥାପିତ ଲୋକଙ୍କୁ ୨୦୧୩ ଆଇନକୁ ପ୍ରାଞ୍ଜଳ ଭାବେ ଅବଗତ ନ କରି ଜବରଦସ୍ତ ୧୧(୧) ଧାରାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଉଦ୍‌ବେଗ ପ୍ରକାଶ ପାଇଥିଲା । ବିଗତ ଦିନରେ ୧୧ (୧) ଧାରାକୁ ଲଗାଇବା ନେଇ ପ୍ରତ୍ୟେକ ଗ୍ରାମରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା । ଧାରା ୧୧ (୧) ନୋଟିସ ଅନୁସାରେ ୬୦ ଦିନ ମଧ୍ୟରେ ଏହାର ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନଙ୍କ ତରଫରୁ ମଧ୍ୟ ଲିଖିତ ଆବେଦନ କରାଯାଇଥିଲା । କିନ୍ତୁ ପ୍ରଶାସନ ଏହା ପରିବର୍ତ୍ତେ କୌଣସି ବିଚାର ବିମର୍ଶ ନ କରି ପ୍ରତିଦିନ ପୋଲିସ ବଳ ଦ୍ୱାରା ଭୟ ଦେଖାଇ, ପ୍ଲାଟୁନ ପ୍ଲାଟୁନ ପୋଲିସ ଉପସ୍ଥିତିରେ କୌଣସି ବିସ୍ଥାପିତଙ୍କୁ ନ ପଚାରିବା ଅବା ସହମତି ନ ନେଇ ଜବରଦସ୍ତ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଗଣ ସର୍ଭେ କାର୍ୟ୍ୟକ୍ରମ ଗ୍ରାମମାନଙ୍କୁ ଆରମ୍ଭ କରି ଦେଇଛନ୍ତି ବୋଲି ଉଦ୍‌ବେଗ ପ୍ରକାଶ ପାଇଥିଲା । ବିସ୍ଥାପିତ ଜମି ମାଲିକଙ୍କ ଦ୍ୱାରା ବିରୋଧ କରାଗଲେ ମଧ୍ୟ ଲୋୟର ସୁକତେଲ ବିଭାଗର କର୍ମଚାରୀମାନେ ମାନୁ ନାହାନ୍ତି ବୋଲି ଅଭିଯୋଗ ହୋଇଥିଲା । ସର୍ବଦା ସେମାନଙ୍କ ଉପରେ ଚାପ ରହୁଛି ବୋଲି କହିବା ସହିତ ସର୍ଭେ କାର୍ୟ୍ୟକୁ ଆଗେଇ ନେଉଛନ୍ତି । ଯାହାକି ଏକ ସମ୍ବେଦନଶୀଳ ପ୍ରସଙ୍ଗ ତଥା ଏକ ଅଗଣତାନ୍ତ୍ରିକ ପଦ୍ଧତି ବୋଲି ଜନସାଧାରଣରେ ବିଚାର ହେଉଛି । ଆମ୍ଭେମାନେ ଆମ ସାତ ପୁରୁଷର ଭିଟାମାଟି, ଜୀବନଜୀବିକା, ପ୍ରକୃତିକ ସମ୍ପତ୍ତି, ଭାଇଚାରା, ଆଞ୍ଚଳିକ ପର୍ବପର୍ବାଣି ପ୍ରଭୃତି ସବୁଦିନ ହରାଇ ବେଘର ହୋଇଯିବୁ । ଆମ ପ୍ରତି ଲୋୟର ସୁକତେଲ ବିଭାଗର ଏ ଅମାନୁଷିକ କାର୍ୟ୍ୟକୁ ଅଞ୍ଚଳବାସୀ ଅସହ୍ୟ ମଣୁଅଛୁ ବୋଲି ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ସଂଗ୍ରାମ ପରିଷଦ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନ ଶୋଭାଯାତ୍ରା କରି ଉକ୍ତ ଜବରଦସ୍ତ ସର୍ଭେ କାର୍ୟ୍ୟକୁ ବନ୍ଦ କରି ଜିଲ୍ଲାପାଳଙ୍କ ସହିତ ଆଲୋଚନା ପାଇଁ ୨୨ ଦଫା ଦାବୀପତ୍ର ଗତ ତା. ୦୪.୦୮.୨୦୨୨ରିଖ ଦିନ ସମ୍ପୃକ୍ତ ଭୂ-ଅର୍ଜନ ଅଧିକାରୀଙ୍କ ଜରିଆରେ ଦିଆଯାଇଛି । ଯାହାର ସୁଫଳ ଆଜି ପର୍ୟ୍ୟନ୍ତ ମିଳି ପାରିନାହିଁ ବୋଲି ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ଜଳ ସମ୍ପଦ ମନ୍ତ୍ରୀ, ଓଡିଶା ସରକାର, ଭୁବନେଶ୍ୱର, ଲୋଇସିଂହା ବିଧାୟକ, ବଲାଙ୍ଗିର ବିଧାୟକ, ପାଟଣାଗଡ ବିଧାୟକଙ୍କୁ ଆମର ଏହି ଦୁଃଖ ଭରା କୋହ ଲିଖିତ ଆକାରରେ ଦେବା ସହିତ ଆଲୋଚନା ମଧ୍ୟ କରିଅଛୁ । ଠିକ୍‌ ସେହିଭଳି ଏ ସମସ୍ୟାକୁ ବିକ୍ଷିପ୍ତ ଭାବେ ମହାମହିମ ରାଷ୍ଟପତିଙ୍କୁ ଲିଖିତ ଭାବରେ ଅବଗତ କରିଅଛୁ । ତେବେ ଜିଲ୍ଲାପାଳଙ୍କୁ ଦେଇଥିବା ଦାବୀପତ୍ର ପରେ ଆଲୋଚନା ନ କରି ସର୍ଭେ କାର୍ୟ୍ୟକୁ ସମ୍ପୃକ୍ତ ବିଭାଗୀୟ କର୍ମଚାରୀ ଜାରି ରଖନ୍ତି ତାହେଲେ ଆଗାମୀ ଦିନରେ ସଂଗ୍ରାମ ପରିଷଦ ଗଣତାନ୍ତ୍ରିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ନ୍ୟାୟାଳୟ ତଥା ଆଇନର ସହାୟତା ନେବାକୁ ବାଧ୍ୟ ହେବୁ ବୋଲି ସଭାରେ ଚେତାବନୀ ଦିଆଯାଇଥିଲା ।

Leave A Reply

Your email address will not be published.

twenty − 10 =