jayashree

ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ପରିବାର ତରଫରୁ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗିର ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ସମ୍ବଲପୁର ପ୍ରଦୀପ କୁମାର ନାଗଙ୍କୁ ଏକ ଭାବବିହ୍ଵଳ ଓ ଗରିମାମୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଡିଏଭି, ଟିଟିଲାଗଡର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ, ବଲାଙ୍ଗିର ବିଇଓ ନୀଳମଣି ପଟେଲ, ଟିଟିଲାଗଡ ବିଇଓ ଆର୍ତ୍ତତ୍ରାଣ ରଥ ମଞ୍ଚାସୀନ ଥିଲେ । ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ଡିପିସି ଅଫିସର ସମସ୍ତ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶୁଭେଛୁ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗଙ୍କ ଦୀର୍ଘ ଶିକ୍ଷା ସେବା ଜୀବନକୁ ସ୍ମରଣ କରାଯାଇଥିଲା । ସଭାର ପ୍ରାରମ୍ଭରେ ଅତିଥିମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ନାଗଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ମୁଖ୍ୟବକ୍ତା ଶ୍ରୀ ବେହେରା, ସଇଁତଲା ବିଇଓ ଦିଲୀପ ଯୋଶୀ, ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ, ବଲାଙ୍ଗିର ବିଇଓ ନୀଳମଣି ପଟେଲ, ଡିପିସି ଅଫିସର ସିନିଅର ଟେକ୍ନିକାଲ କନ୍ସଲଟାଣ୍ଟ ଭୁବନାନନ୍ଦ ହୋତାଙ୍କ ସମେତ ବିଭିନ୍ନ ବକ୍ତା ଶ୍ରୀ ନାଗଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା ଓ ପ୍ରଶାସନିକ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ବକ୍ତାମାନେ ନିଜ ବକ୍ତବ୍ୟରେ ଶ୍ରୀ ନାଗ ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ପାଳନ ସମୟରେ ଶିକ୍ଷାର ମାନୋନ୍ନତି, ବିଦ୍ୟାଳୟ ପରିଚାଳନାରେ ସ୍ୱଚ୍ଛତା, ଶିକ୍ଷକ ମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇ ନିଜ ବକ୍ତବ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ସଫଳତାର ସହିତ ରୂପାୟିତ ହୋଇଥିଲା ବୋଲି କହିବା ସହ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ପରୀକ୍ଷା ଫଳାଫଳରେ ଉନ୍ନତି ଏବଂ ସରକାରୀ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ନାଗ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସହଯୋଗ ପାଇଁ ସମସ୍ତ ଅଧିକାରୀ, ଶିକ୍ଷକ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ, ଶିକ୍ଷା କ୍ଷେତ୍ରର ଉନ୍ନତି କେବଳ ଜଣେ ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ ନୁହେଁ, ବରଂ ସମସ୍ତଙ୍କ ମିଳିତ ପ୍ରୟାସ ଓ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇଥାଏ । ଭବିଷ୍ୟତରେ ମଧ୍ୟ ଶିକ୍ଷା କ୍ଷେତ୍ରର ଅଗ୍ରଗତି ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଦାୟିତ୍ୱ ନିର୍ବାହ ସମୟରେ ଶିକ୍ଷାର ଉନ୍ନତି ଓ କାର୍ଯ୍ୟର ସଫଳ ରୂପାୟନ ପାଇଁ ସେ କଠୋର ମନୋଭାବ ଅବଲମ୍ବନ କରିଥିଲେ । ଏହି କ୍ରମରେ କେବେ କେବେ କାହାକୁ କଠୋର ଭାଷାରେ ତାଗିଦ କିମ୍ବା ଭର୍ସନା କରିଥିଲେ, ତେବେ ତାହାକୁ ବ୍ୟକ୍ତିଗତ ଭାବେ ନ ନେବାକୁ ଅନୁରୋଧ କରିଥିଲେ । ତାଙ୍କର ସମସ୍ତ ପଦକ୍ଷେପ ଓ ନିଷ୍ପତ୍ତି କେବଳ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଥିବା ସେ ପ୍ରକାଶ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବାଶ୍ରୀ ଭୋଇଙ୍କ ମାର୍ଗଦର୍ଶନରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ଲାନିଙ୍ଗ କୋର୍ଡିନେଟର ଦେବେଶ ମିଶ୍ର ଶ୍ରୀ ନାଗଙ୍କ କାର୍ଯ୍ୟକାଳ ସମୟରେ ଆୟୋଜିତ ବିଭିନ୍ନ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ, ବିଦ୍ୟାଳୟ ପରିଦର୍ଶନ, ସଫଳତା ଏବଂ ସ୍ମରଣୀୟ ମୁହୂର୍ତ୍ତ ଗୁଡିକର ସ୍ଥିର ଫଟୋଚିତ୍ର ଗୁଡିକୁ ସ୍ଲାଇଡ଼ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶିତ ଫଟୋ ଚିତ୍ରଗୁଡିକ ଉପସ୍ଥିତ ଅଧିକାରୀ ଓ ଶିକ୍ଷକମାନଙ୍କୁ ଶ୍ରୀ ନାଗଙ୍କ କାର୍ଯ୍ୟକାଳର ବିଭିନ୍ନ ସ୍ମୃତିକୁ ପୁନଃଜୀବିତ କରିଥିଲା ଏବଂ ସଭାର ପରିବେଶକୁ ଆହୁରି ଅଧିକ ଭାବପ୍ରବଣ କରିଥିଲା । ଶେଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ଜୁନିଅର ରେଡକ୍ରସ ସୋସାଇଟି, ସ୍କାଉଟ ଗାଇଡ଼, କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ତାଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ଉତ୍ତୋରତ୍ତର ସୁସ୍ୱାସ୍ଥ୍ୟ,ସୁଖମୟ ଜୀବନ ଓ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ କରୁଣା ସାଙ୍କୁ ମଧ୍ୟ ତାଙ୍କ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ହେତୁ ପୁଷ୍ପାଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ହେମନ୍ତ ପ୍ରଧାନ କରିଥିବା ବେଳେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଂଯୋଜକ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.