
ଦୋଷୀଙ୍କୁ ଗିରଫ୍ କରିବା ଦାବୀ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍ପିଙ୍କୁ ଭେଟିଲା ରାଜ୍ୟ ସରପଞ୍ଚ ମହାସଂଘ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସିକା ପଞ୍ଚାୟତ ସମିତି ବୈଠକରେ ଦେଖାଦେଇଥିବା
ତୁମୂଳ ହଟ୍ଟଗୋଳକୁ କେନ୍ଦ୍ର କରି ଦୋଷୀଙ୍କୁ ଗିରଫ୍ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଭେଟିଲା ରାଜ୍ୟ ସରପଞ୍ଚ ମହାସଂଘ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଉଦ୍ଦେଶ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁରକୁ ଆସି ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଏକ ସ୍ମାରକପତ୍ର ଗଞ୍ଜାମ ଏସ୍ପି ହରିଶ୍ ବି.ସି.ଙ୍କୁ ପ୍ରଦାନ କରାଯାଇଛି । ସରପଞ୍ଚ ନେତ୍ରୀ ଚାମେଲି ଓଝାଙ୍କ ନେତ୍ତୃତ୍ଵରେ ଶତାଧିକ ସରପଞ୍ଚଗଣ ଯୋଗଦେଇ ସରପଞ୍ଚଙ୍କ ଉପରେ ହେଉଥିବା ଆକ୍ରମଣ, ଧମକ, ଅଶାଳୀନ ମନ୍ତବ୍ୟ, ଅଶ୍ଳୀଳ ଭାଷାରେ ଗାଳିଗୁଲଜର ପ୍ରତିବାଦରେ ମହାସଂଘ ନ୍ୟାୟ ମାଗିଥିଲେ । ଏହାର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଅବା ଦୋଷୀଙ୍କୁ ଗିରଫ ନ କରାଗଲେ ଆଗମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ସରପଞ୍ଚଗଣ ପ୍ରସାଶନକୁ ଚେତାବନୀ ଦେଇଛନ୍ତି । ଆସିକା ବ୍ଲକ୍ ହରିଡାପଦର ପଞ୍ଚାୟତର ସମସ୍ୟାକୁ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ ଉପସ୍ଥାପନ ବେଳେ ସରପଞ୍ଚ ଜୟନ୍ତୀ ବେହେରାଙ୍କୁ ଦୁଃବ୍ୟବହାର, ଅପମାନଜନକ ଆଚରଣ ଏବଂ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଛି । ଘଟଣାକୁ ଗଞ୍ଜାମ ଜିଲ୍ଲା ସରପଞ୍ଚ ମହାସଂଘ ଗୁରୁତର ଭାବେ ନେଇ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଦାବି କରିଛି । ଆଜି ମହାସଂଘ ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଗଞ୍ଜାମୁ ଏସ୍ପିଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ଼, ଦକ୍ଷିଣ ଓଡ଼ିଶା ସରପଞ୍ଚ ମହାସଂଘର ଜୋନ୍ ସଭାପତି ଭବାନୀଶଙ୍କର ମଲ୍ଲିକ, ଜିଲ୍ଲା ଉପସଭାପତି ଗଗନ ବେହେରା, କେନ୍ଦ୍ରପଡ଼ା ଜିଲ୍ଲା ସରପଞ୍ଚ ସଂଘ ସଭାନେତ୍ରୀ ଚାମେଲି ଓଝାଙ୍କ ନେତ୍ତୃତ୍ଵରେ ସ୍ୱର ଉତ୍ତୋଳନ ହୋଇଛି । ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଓ ଜାତିଆଣତା ଆକ୍ଷେପ ଅଭିଯୋଗ ଅଣାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ, ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ, ମହିଳା ସରପଞ୍ଚଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇବା ଓ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମହାସଂଘ ଦାବି କରିଛି । ନଚେତ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ଓ ରାଜ୍ୟ ସରପଞ୍ଚ ସଂଘ ମିଳିତ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।