
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ବୁଧବାର ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସହ ଘଡଘଡି ଓ ବିଜୁଳି ମାରିଥିବା ଦେଖିବାକୁ ମିଳିଥିଲା । ହଠାତ୍ ଆରମ୍ଭ ହୋଇଥିବା ଏହି ବର୍ଷାରେ ବାଲିଗୁଡା ବସଷ୍ଟାଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଥିଲା । ବସଷ୍ଟାଣ୍ଡରେ ଥିବା ଡ୍ରେନକୁ ଏନ୍ଏସି ନିୟମିତ ସଫା କରୁ ନ ଥିବାରୁ ଜାମ ହୋଇ ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁ ନାହିଁ । ଫଳରେ ରାସ୍ତା ଉପରେ ପାଣି ଲହଡ଼ି ମାରୁଥିବା ଦେଖାଯାଇଥିଲା । ଏହା ଯୋଗୁଁ ଯାତ୍ରୀ, ବ୍ୟବସାୟୀ ଓ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପରେପରେ ସ୍ଥାନୀୟ ଲୋକମାନେ ଡ୍ରେନ ସଫା କରି ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେଇଥିଲେ । ତେବେ ବର୍ଷା ଋତୁ ଆସୁଥିବାରୁ ବାଲିଗୁଡା ସହରର ଡ୍ରେନ ବ୍ୟବସ୍ଥାକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି । ଆଗାମୀ ଦିନରେ ଏପରି ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ କେମିତି ପଦକ୍ଷେପ ନେଉଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି ।