ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ ପାଳନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସର୍ବ ପୁରାତନ ତଥା ସର୍ବ ବୃହତ ଅଗ୍ରଣୀ ସଂଘ, ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ସପ୍ତାହ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମଂଚର ସଦସ୍ୟ ଦିଲ୍ଲୀପ କୁମାର ବହିଦାରଙ୍କ ଦେହାନ୍ତ ହୋଇଥିବାରୁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ସଭାପତି ପ୍ରଭାକର ମିଶ୍ର । ସାଧାରଣ ସଂପାଦକ ମନୋରଂଜନ ମିଶ୍ର ସଂପାଦକୀୟ ବିବରଣୀ ପଠନ କରିଥିଲେ ଓ ସଭାକୁ ସଂଯୋଜନା କରିଥିଲେ ମଧୁସୁଦନ ନାୟକ । ଅନ୍ୟମାନଙ୍କ ମଧ୍ୟରେ ମଂଚାସୀନ ଥିଲେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୋଷାଗାର ଅଧିକାରୀ ଦିଲ୍ଲୀପ କୁମାର ଛତ୍ରିଆ, ବରେଣ୍ୟ ଅତିଥି ଭାବରେ ଚିଫ୍ ମେନେଜର ଏସ୍‌ବିଆଇ ବଲାଙ୍ଗିର ସତ୍ୟ ନାରାୟଣ ମାଝି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା । ସାଧାରଣ ସଂପାଦକ ଶ୍ରୀ ମିଶ୍ର କହିଥିଲେ ଯେ, ବରିଷ୍ଠ ନାଗରିକ ମଂଚ ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହାର ପଞ୍ଜିକରଣ ତଥା ବିଗତ ଦିନରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର, ଜଳସାଇ, ଭ୍ରମଣ, ବଣଭୋଜି ତଥା ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କରିଥିବା ବିଷୟରେ ପ୍ରକାଶ କରିଥିଲେ । ସଭାରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ବରିଷ୍ଠ ନାଗରିକ ମଂଚ ଆଗଲପୁର ଏବଂ ଲୋଇସିଂହା ଶାଖାର ପ୍ରତିନିଧି ପୁରନ୍ଦର ଦାଶ ଓ ଦେଓଗାଁ ଓ ଗୁଡଭେଲା ଶାଖାର ପ୍ରତିନିଧି ସୁଧାଂଶୁ ଶେଖର ବାବୁ । ଅତିଥିମନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ମଂଚ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମ ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଆଦୃତ ହେବ ଓ ବରିଷ୍ଠ ନାଗରିକମାନେ ଏହାର ସୁବିଧା ସହଯୋଗ ପାଇ ଉପକୃତ ହେବେ । ଆଗାମୀ ଦିନରେ ବ୍ୟାଙ୍କରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବ ଓ ବରିଷ୍ଠ ନାଗରିକମାନଙ୍କୁ ଏଥିରେ ସାମିଲ କରାଯିବ । ଯେଉଁମାନେ ପେନସନ ପାଇବା ବାବଦରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେମାନେ ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ଛତ୍ରିଆଙ୍କ ପାଖରେ ଅସୁବିଧା ଜଣାଇବେ ଓ ସେ ଯେତେ ଶୀଘ୍ର ହେବ ତାହାର ସମାଧାନ କରିବେ । ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ହୋତା କହିଥିଲେ ଯେ, ରାଜ୍ୟ ସରକାରଙ୍କ ପାଖରୁ ବରିଷ୍ଠ ନାଗରିକମାନଙ୍କୁ ପାଇଁ ଅନେକ ସୁବିଧା ସୁଯୋଗ ରହିଛି । ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ଯଥା ଶୀଘ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଆଜିର ସଭାରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରିଥିବା ଡା. ମଞ୍ଜୁବାଳା ପଣ୍ଡା ଓ ସୋମନାଥ ମିଶ୍ର ପ୍ରତିଷ୍ଠାତା ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନକୁ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଉପଦେଷ୍ଟା ଧନଞ୍ଜୟ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ କପିଳେଶ୍ୱର ଖମାରୀ ଓ ପୀତବାସ ପଣ୍ଡା । ଏହି କାର୍ଯ୍ୟକ୍ରମକୁ ବିରଂଚି ହୋତା, ବିନୟ କୁମାର ମିଶ୍ର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ସୁନିଲ ଚନ୍ଦ୍ର ବିଶ୍ୱାଲ, ଚିତ୍ତ ରଂଜନ ପଟେଲ, ନିଳାଂଚଳ ଚିର୍ଗୁନ ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ମଂଚକୁ ଆଶା ଓ ବିଶ୍ୱାସକୁ ନେଇ ଦାମୋଦର ନାଏକ, ଦୁର୍ଗା ପ୍ରସାଦ ହୋତା, ଲକ୍ଷ୍ମଣ କୁମାର ଜାଲ, ସତ୍ୟାନନ୍ଦ ସାହୁ ଓ ମନୋରଂଜନ ସ୍ୱାଇଁ ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ ଓ ମଂଚ ତରଫରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କପିଳେଶ୍ୱର ଖମାରୀ ।

Leave A Reply

Your email address will not be published.