
ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ଅଞ୍ଚଳରେ ବ୍ୟାପିଥିବା ଝାଡ଼ାବାନ୍ତି ନିୟନ୍ତ୍ରଣରେ ରହିଛି । ବିରୋଳୀ, ତିଖିଲିଆ ଓ ଦାଣ୍ଡକୂଳ ଗାଁରୁ ଯାଜପୁର ମେଡିକାଲରେ ଓ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶୁକ୍ରବାର ଠାରୁ ଏପର୍ଯ୍ୟନ୍ତ କୌଣସି ଆକ୍ରାନ୍ତଙ୍କ ବିଷୟରେ ସୂଚନା ମିଳିନାହିଁ । କିନ୍ତୁ ମେଡିକାଲ ପ୍ରଶାସନ ସତର୍କତାମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଦିନକୁ ଏକାଧିକ ଥର ଗାଁ ଗାଁ ବୁଲୁଛନ୍ତି । ଗାଁର କେତେକ ନଳକୂପ ପାଣିକୁ ବ୍ୟବହାର ପାଇଁ ପ୍ରଶାସନ ବାରଣ କରିଛି । ଗାଁ ଗୁଡ଼ିକରେ ବ୍ଲିଚିଂ ପାଉଡର ପକାଇବା ସହ କୂଅ ଓ ପୋଖରୀ ପାଣି ବ୍ୟବହାର ପାଇଁ ମନା କରାଯାଇଛି । ଛୋଟ ପିଲା ଓ ବୟସ୍କଙ୍କୁ ଅଧିକ ସତର୍କ ରହିବା ସହ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ କୁହାଯାଇଛି । ପାଣି ଫୁଟାଇ ପିଇବା ସହ ଆବଶ୍ୟକ ସ୍ଥଳେ ହଲୋଜେନ୍ ବଟିକା ବ୍ୟବହାର ପାଇଁ କୁହାଯାଇଛି । ସ୍ଥାନୀୟ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଗାଁ ଗୁଡ଼ିକରେ ଲୋକଙ୍କୁ ହାତ ଧୋଇବା ଶୈଳୀ ଓ ସଫା ସୁତୁରା ରହିବା ପାଇଁ ମଧ୍ୟ ସଚେତନ କରୁଛନ୍ତି ।