pakka

ପଶ୍ଚିମ ଓଡିଶା ବିକାଶ ପରିଷଦର ୬୦ତମ ବୈଠକ

bbehera
  • ପ୍ରକଳ୍ପ ସ୍ଥିତିକୁ ଆକଳନ ପାଇଁ ପ୍ରସ୍ତୁତ ନୂତନ ଆପ୍‌କୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ରାଜୀବ ଭବନସ୍ଥିତ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ପରିଷଦର ୬୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପରିଷଦର ସାଂପ୍ରତିକ କାର୍ଯ୍ୟଧାରାର ବିବରଣୀ ସୂଚିତ କରିଥିଲେ । ଏଥିରେ ପରିଷଦ ଅଧିନରେ ଥିବା ୧୧ଟି ଜଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ କିପରି ଭାବେ ସଂଚାଳନ କରାଯାଉଛି ଏବଂ ଆଗକୁ କିପରି ଏହି ଢାଞ୍ଚାକୁ ଅଧିକ କ୍ରିୟାଶୀଳ ଭାବେ ମଜବୁତ କରାଯାଇପାରିବ, ସେ ନେଇ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ।

ଏଣିକି ଏହି ୧୧ଟି ଜିଲ୍ଲାରେ ପ୍ରକଳ୍ପର ନକ୍‌ସା, ବ୍ୟୟ ଅଟକଳ, ପ୍ରକଳ୍ପର କାର୍ଯ୍ୟକାରିତା, ଉପକୃତ ହେବାକୁ ଥିବା ଲୋକସଂଖ୍ୟା ପ୍ରକଳ୍ପର ଉଦ୍ଦେଶ୍ୟ ପ୍ରଭୃତି ସଂପର୍କରେ ବୈଷୟିକ ଜ୍ଞାନ ଥିବା କର୍ମଚାରୀ ମୁତୟନ ଉପରେ ଗୁରୁତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଫଳରେ ପ୍ରକଳ୍ପ ମଞ୍ଜୁରୀଜନିତ ବିଳମ୍ବକୁ ଏଡାଇ ଦିଆଯାଇପାରିବ । ସେହିପରି ଏହି ନୂତନ ଆପ୍‌ ପ୍ରଚଳନ କରାଯାଇଥିବା ବୈଠକରେ ପ୍ରଦର୍ଶନ କରାଯାଇଥିଲା । ଏହି ଆପ୍‌ରେ ନିର୍ମାଣାଧିନ ପ୍ରକଳ୍ପର ସାଂପ୍ରତିକ ସ୍ଥିତିକୁ ଅପ୍‌ଲୋଡ କରାଯିବ । ଏଥିରେ ଜନସାଧାରଣଙ୍କ ନିମନ୍ତେ ଦେଖି ପାରିବାର ଓ ମତାମତ ଦେବାର ସୁଯୋଗ ରହିବ । ଏହା ଦ୍ୱାରା ପ୍ରକଳ୍ପର ସବିଶେଷ ତଥ୍ୟ ଉପଲବ୍ଧି ହେବ ଏବଂ ଏଥି ସହିତ ବିଭିନ୍ନ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ପ୍ରଦାନ କରାଯାଇଥିବା ଅର୍ଥର ପରିମାଣ, ପ୍ରକଳ୍ପର ଆକଳନ ମୂଲ୍ୟ, କାର୍ଯ୍ୟର ସାଂପ୍ରତିକ ଫଟୋଚିତ୍ର ପରି ଅନେକ ତଥ୍ୟ ଏଠାରେ ଉପଲବ୍ଧ ହୋଇପାରିବ । ପଶ୍ଚିମାଞ୍ଚଳ ଜିଲ୍ଲାଗୁଡିକରେ ବିଭିନ୍ନ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରହିଥିବର ସମସ୍ୟାଗୁଡିକର ସମାଧାନ ପାଇଁ ସାଧାରଣତଃ ପରିଷଦ ଅର୍ଥ ଅନୁଦାନ ପ୍ରଦାନ କରିଥାଏ । ତେଣୁ ଏଣିକି ସେଭଳି ପ୍ରକଳ୍ପ ପାଇଁ ସୁପାରିଶ କଲାବେଳେ ଜନପ୍ରତିନିଧି ତଥା ସଦସ୍ୟମାନେ ତା’ର କାର୍ଯ୍ୟକାରିତା ରିପୋର୍ଟ ଜିଲ୍ଲାପାଳମାନଙ୍କ ଦ୍ୱାରା କରାଇ ଦେବାକୁ କୁହାଯାଇଥିଲା ।

ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସାଂସଦ ଓ ବିଧାୟକମାନଙ୍କଠାରୁ ଆର୍ଥିକ ସହଯୋଗ ପାଇଲେ ପରିଷଦର ଆର୍ଥିକ କ୍ଷମତାଠାରୁ ଢେର ଅଧିକ କାର୍ଯ୍ୟ କରିପାରିବ ବୋଲି କହିଥିଲେ । ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ଶୀତଳଭଣ୍ଡାର ନିର୍ମାଣ ପ୍ରତି ପରିଷଦ ଦୃଷ୍ଟି ଦେବାକୁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ତା’ଛଡା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ଜୀବିକା ମିଶନ କ୍ଷେତ୍ରରେ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଧାନ କରିଥିଲେ । ବରଗଡ ଧାନଚାଷ ନିମନ୍ତେ ପ୍ରମୁଖ ସ୍ଥାନ ହୋଇଥିବା ହେତୁ ସେଠାରେ ବିହନ ସଂରକ୍ଷଣ ଓ ଗବେଷଣା ପାଇଁ ଅନୁଷ୍ଠାନ ପତିଷ୍ଠା କରିବାକୁ ଏବଂ ଅସଂପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବାକୁ ବରଗଡ ବିଧାୟକ ଅନୁରୋଧ କରିଥିଲେ । ଏଥିସହିତ ପରିଦେ ଜନସେଚନ ଉପରେ ଅଧିକ ଜୋର ଦେବାକୁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ । ଦେବଗଡ ଜିଲ୍ଲା ଶିଳ୍ପ ବିହୀନ ଜିଲ୍ଲା, ଏଠାରେ ପ୍ରଦୂଷଣ ନାହିଁ ଏବଂ ପର୍ଯ୍ୟଟନର ଅମାପ ସମ୍ଭାବନା ରହିଛି । ଏଗୁଡିକର ବିକାଶ ପରିଷଦ ତରଫରୁ କରିବା ପାଇଁ ଦେବଗଡ ବିଧାୟକ ଅନୁରୋଧ କରିଥିଲେ ।

ଆଗକୁ ବିଜୁ ଏକ୍ସପ୍ରେସ ୱେ କେରିଡରକୁ ନେଇ ସ୍ୱତନ୍ତ୍ର ପରିଯୋଜନା ପ୍ରସ୍ତୁତ କରିବା, ସମ୍ବଲପୁରଠାରେ କୃଷି ମେଳା ଆୟୋଜନ, ପଶ୍ଚିମ ଓଡିଶାରେ ଭେଟେରିନାରୀ ବିଶ୍ୱବିଦ୍ୟାଳୟ ସ୍ଥାପନ, ହ୍ୟାଣ୍ଡଲୁମ କ୍ଲଷ୍ଟର ପ୍ରତିଷ୍ଠା ଭଳି ଅନେକ କାର୍ଯ୍ୟ ପାଇଁ ଯୋଜନା କରାଯାଇଥିବା ଅଧ୍ୟକ୍ଷ ଗୃହକୁ ଅବଗତ କରିଥିଲେ ।

ଏହି ବୈଠକରେ ପରିଷଦର ସଦସ୍ୟ ବରଗଡ ସାଂସଦ ସୁରେଶ ପୁଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ, ମୁଖ୍ୟ ନିର୍ବାହୀ ଅଧିକାର ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାୟକ, ଡିଭିଜନାଲ ଅଧିକାରୀ ସୁଶ୍ରୀ ସୁଜାତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one + one =