pakka

ଶିଶୁ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ତଥା ବାଲ୍ୟ ବିବାହ ନିରାକରଣ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ବିଭଗୀୟ ଅଧିକାରୀଙ୍କୁ ଜିଲ୍ଲାରେ ବାଲ୍ୟ ବିବାହ ନିରୋଧ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶିଶୁ ଗୃହରେ ରହୁଥବା ଦୁଇ ଜଣ ଅନାଥ ଶିଶୁଙ୍କୁ ୧୮ ବର୍ଷ ବୟସ ପୂରଣ ହୋଇଥିବାରୁ “ଆଫ୍ଟର କେୟାର” ଯୋଜନା ରେ ଜଣ ପ୍ରତି ୨୪୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ସେମାନେ ହେଲେ ତରଭା ବ୍ଲକର ଚନ୍ଦ୍ରକାନ୍ତି ହାତୀ ଏବଂ ବିନିକା ବ୍ଲକର ଚନ୍ଦ୍ର ଶେଖର ଦଳେଇ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ବୈଠକର ସଂଯାଜନା କରିଥିବା ବେଳେ ବାଲ୍ୟ ବିବାହ ସଂଯୋଜକ (ଆକ୍ସନ ଏଡ଼/ୟୁନିସେଫ) ରାକେଶ ପ୍ରଧାନ ଜିଲ୍ଲାରେ ବାଲ୍ୟ ବିବାର ସ୍ଥିତି ଓ ବାଲ୍ୟ ବିବାହ ସମ୍ପର୍କରେ ଜିଲ୍ଲାରେ ନିଆଯାଇଥିବା ପଦକ୍ଷପ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଅନିତା ଗୁରୁ ଜିଲ୍ଲାରେ “ସଖି”ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପସ୍ଥାପନ କରିଥଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଜଗଜୀବନ ପଟେଲ, ଶିଶୁ ମଙ୍ଗଳ କମିଟି ସଭାପତି (ଭାରପ୍ରାପ୍ତ) ମଧୁସୂଦନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ଭୋଇ, ଡ଼ି.ଏସ୍‌.ଡବ୍ଲୁ ଓ ଗୌରିମଣୀ ହାଂସଦା, ଡ଼ି.ଡବ୍ଲୁ. ଓ ରବୀନ୍ଦ୍ର ପାଲାକା, ଡ଼ି.ଏସ୍‌.ଏସ୍‌.ଓ ଗୋବିନ୍ଦ ବଲ୍ଲବ ସଡ଼ଙ୍ଗୀ, ଡ଼ି.ଆଇ.ପି. ଆର୍‌.ଓ ଅଶ୍ୱିନୀ କୁମାର ଭୋଇ, ସମସ୍ତ ସି.ଡି.ପି.ଓ, ଚାଇଲଡ ଲାଇନର ପ୍ରଭାମୟୀ ବେହେରା, ସ୍ଵଧାରରୁ ଶୁଭଶ୍ରୀ କଅଁର, ୱାନ ଷ୍ଟପ ସେଣ୍ଟର (ସଖି)ରୁ ରାଜଶ୍ରୀ, ଶିଶୁ ଗୃହରୁ ସୁଜାତା ବେହେରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବିଜୟ ବିଶ୍ୱାଳ, ସ୍ୱାଗତ ମିଶ୍ର, ବିଶେଶ୍ୱର ହୋତା ପ୍ରମୁଖ ସହଯୋଗ କରିଥିଲେ । ବିଜୟ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

18 − one =