pakka

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

l2

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍‌ୱାନ ହଲ ଠାରେ ବଲାଙ୍ଗିର ଜିଲ୍ଲାର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ସତର୍କତା ମୂଳକ ପଦକ୍ଷେପ ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଭର୍ଚୁଆଲ ମୋଡ୍‌ରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପି.ଡି. ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ସିଡିଏମ୍‌ଓ ଡା. ସ୍ନେହଲତା ସାହୁ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ରୀନା ନାଏକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଲକ୍‌ ଭିଡିଓ କନ୍‌ଫରେନ୍ସିଂ ହଲ ଠାରେ ସଂପୃକ୍ତ ବ୍ଲକର ବିଡିଓ, ତହସିଲ୍‌ଦାର ମାନେ ଉପସ୍ଥିତ ଥିଲେ । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସଜାଗ ଓ ତତ୍ପର ରହିବା ସହିତ କ୍ଷେତ୍ର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଏ ସମ୍ପର୍କରେ ସୂଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ୟାର ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଔଷଧ ତଥା ଅନ୍ୟାନ୍ୟ ଅନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ ଗୁଡ଼ିକରେ ଅଂଶୁଘାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌, ତହସିଲ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ପ୍ରାଣୀ ସଂପଦ ତଥା ଅନ୍ୟାନ୍ୟ ସଂପୃକ୍ତ କାର୍ଯ୍ୟାଳୟ ଗୁଡ଼ିକରେ କଂଟ୍ରୋଲ ରୁମ୍‌ ଖୋଲିବା ସହ ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିରେ ମୁକାବିଲା ନିମନ୍ତେ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଅଚଳ ହୋଇ ଯାଇଥିବା ନଳକୂପ ତଥା ଅନ୍ୟାନ୍ୟ ଜଳଉତ୍ସ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ ଓ ତତ୍‌ସଂକ୍ରାନ୍ତୀୟ ସମସ୍ୟା ଗୁଡ଼ିକର ସମାଧାନ ସକାଶେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା, ଅଂଶୁଘାତ ଜନିତ ମୃତ୍ୟୁର ଯଥା ଶୀଘ୍ର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପ୍ରତ୍ୟେକ ପୌର ପରିଷଦ, ଏନ୍‌ଏସି, ବ୍ଲକ୍‌, ପଞ୍ଚାୟତ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଜନଗହଳି ସ୍ଥାନ, ବସ୍‌ଷ୍ଟାଣ୍ଡ ମାନଙ୍କରେ ଜଳଛତ୍ର ଖୋଲିବା, ଜଳ କ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗଇଦେବା ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଯାତ୍ରୀବାହୀ ବସ୍‌ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଯାନବାହନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆର୍‌ଏସ୍‌ ପ୍ୟାକେଟ ରଖିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆର୍‌.ଟି.ଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ଶ୍ରମିକ ମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀ ଗୁଡ଼ିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓଆର୍‌ଏସ୍‌ ପ୍ୟାକେଟ ତଥା ଆଶ୍ରୟସ୍ଥଳର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁଗାଇ ଇତ୍ୟାଦି ପ୍ରାଣୀ ସଂପଦଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ତଥା ଔଷଧ ରଖିବା ନିମନ୍ତେ ସିଡିଭିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଚାଉଳ ତଥା ଅନ୍ୟାନ୍ୟ ଭତ୍ତା ପାଉଥିବା ହିତାଧିକାରୀ ଏବଂ ପେନ୍‌ସନ୍‌ ଭୋଗୀଙ୍କୁ ସକାଳ ୯ ଘଟିକା ସୁଦ୍ଧା ନିର୍ଦ୍ଧାରିତ ତାରିଖ ମାନଙ୍କରେ ବଣ୍ଟନ କରିବାକୁ ସମସ୍ତ ବିଡ଼ିଓ ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବହା ଜନିତ ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସମ୍ପର୍କିତ ସତର୍କତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

4 × four =