ଉତ୍ତମ ଶିକ୍ଷା ସମାଜକୁ ଆର୍ଥିକ ସମୃଦ୍ଧି କରିବ – ସମରେନ୍ଦ୍ର

  • ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ଉଭୟେ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୮,୧୯,୨୦ ମହିଳା ସମ୍ବିଳନୀ ଓ ୱାର୍ଡ ନଂ.୧୦ର ଗେଡ୍‌ ସରୋବରପଡାବାସୀଙ୍କ ଦ୍ୱାରା ଅନୁଷ୍ଠିତ କଂଗ୍ରେସର ନିର୍ବାଚନୀ ସଭାରେ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଆସନ୍ତା ମେ ୨୦ ତାରିଖ ଗଣତନ୍ତ୍ର ମହାପର୍ବରେ ଆମେ ସମସ୍ତେ ନିଜ ନିଜ ମତଦାନ ସାବ୍ୟସ୍ତ କରିବାକୁ ଯାଉଛେ । ମୋର ଅନୁରୋଧ ମୋର ସାମ୍‌ନାରେ ବସିଥିବା ମାଁ ଭଉଣୀ, ଜ୍ଞାନି, ଗୁଣି ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ଅତୀତକୁ ନିଶ୍ଚିତ ଭାବେ ଦେଖନ୍ତୁ । ଅତୀତରେ କଂଗ୍ରେସ ସରକାର ଅମଳରେ ଶିକ୍ଷା ବ୍ୟବସ୍ଥାରେ ଗରିବ ଧନୀ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ସେ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟରେ ବିଜେଡି ସରକାର ଆସିଲା ପରେ ଷଡଯନ୍ତ୍ର କରି ଦୁଇଭାଗ କରି ଦେଇଛି । ଗରିବଙ୍କ ପାଇଁ ଅଲଗା ସ୍କୁଲ, ଧନୀଙ୍କ ପାଇଁ ଅଲଗା ସ୍କୁଲ । ଗରିବ ପଢୁଥିବା ସ୍କୁଲରେ ଶିକ୍ଷକ ନାହାନ୍ତି, କର୍ମଚାରୀ ନାହାନ୍ତି ଫଳରେ ଆମ ଗରିବ ଶ୍ରେଣୀର ପିଲା ବିନା ଶିକ୍ଷକରେ ପାଠ ପଢି ନିଜ ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଉଛି । ଅପରପକ୍ଷେ କେନ୍ଦ୍ରରେ ଥିବା ବିଜେପି ସରକାର କାଗଜ, କଲମ, ଛୁଆଙ୍କ ପଢାବହିରେ ଦିନକୁ ଦିନ ଟେକ୍ସ ବଢାଇ ଗରିବ ଛୁଆର ଭବିଷ୍ୟତରେ ଲାତ ମାରିବାରେ ଲାଗିଛି । ରାଜ୍ୟ ସରକାର ସ୍କୁଲ ରୂପାନ୍ତରିତ ନାଁରେ ସ୍କୁଲ କୋଠାରେ ରଙ୍ଗ ବୋଲି ଶିକ୍ଷା ଉନ୍ନତି କଲୁଁ କହି ମିଛ ଭୁଆଁ ବୁଲାଇବାରେ ଲାଗିଛନ୍ତି । ଏଣୁ କ୍ରମାଗତ ଭାବେ ଉଭୟ ସରକାରଙ୍କ ଷଡଯନ୍ତ୍ର ଯୋଗୁଁ ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି । ଯେଉଁଥି ପାଇଁ ଆମ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହେଉଛି ବୋଲି ସମରେନ୍ଦ୍ର ବକ୍ତବ୍ୟରେ କହିଛନ୍ତି । ୱାର୍ଡ ନଂ. ୧୦ର ଗେଟସରୋବରପଡାବାସୀ ଆଜି ସନ୍ଧ୍ୟାରେ ବିଧାୟକ ନରସିଂହ ମିଶ୍ର ଏବଂ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କୁ ତାଙ୍କ ବାସଭବନରୁ ସଭା ସ୍ଥଳକୁ ବାଜା ରୋସଣୀ ସହିତ ପାଛୋଟି ନେଇ ସେଠାରେ ଏକ ସଜ୍ଜିତ ସଭାର ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ଯୁବନେତା ସମରେନ୍ଦ୍ର ଅହୁରି ମଧ୍ୟ କହିଛନ୍ତି ଯେ, ଆମର ଲକ୍ଷ୍ୟ ହେଲା କେବଳ ଏ ଅଂଚଳର ଲୋକଙ୍କ ଆର୍ଥିକ ଅଭିବୃଦ୍ଧି । ୨୦୧୪ରୁ ୨୦୨୪ – ୧୦ ବର୍ଷ ଭିତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ପିଇବା ପାଣି ସମସ୍ୟା, ଶିକ୍ଷା ଭିତ୍ତିଭୂମି, ସ୍ୱାସ୍ଥ୍ୟ ପାଇଁ ମେଡିକାଲ୍‌ କଲେଜ ପ୍ରତିଷ୍ଠା, କ୍ରୀଡା ଭିତ୍ତିଭୂମି, ଗମନାଗମନ ପାଇଁ ସୁନ୍ଦର ରୋଡ୍‌ରାସ୍ତା, ଜଳସେଚନ ପାଇଁ ଲୋୟର ସୁକତେଲ ସହ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ଭଳି ଅନେକ ଯୋଜନା ଆଣିବାରେ ସଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ସମୟ ଆସିଛି ଆମ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ଓ ରୋଜଗାର ସୃଷ୍ଟି କରିବା ଏଥି ପାଇଁ ଆମକୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡିବ । ପିଲାଙ୍କ ରୋଜଗାର ପାଇଁ ବଲାଙ୍ଗିରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଖୋଳିବାକୁ ପଡିବ କିନ୍ତୁ ଏଥିରେ ସଫଳତା ପାଇବା ପାଇଁ ହେଲେ ଆମକୁ ଆଗାମୀ ଦିନରେ ରାଜରାସ୍ତା ହେଉ କି ବିଧାନସଭାରେ ହେଉ ଆମକୁ ଜୋରଦାର ଲଢେଇ କରିବାକୁ ପଡିବ । ଯାହା ପାଇଁ ଆମକୁ ଏକ ଦୃଢ, ଲଢୁଆ ତଥା ଦୂରଦୃଷ୍ଟି ସମ୍ପନ୍ନ ଦକ୍ଷତା ଥିବା ଏକ ପ୍ରତିନିଧି ବିଧାନସଭା ପଠାଇବାକୁ ହେବ । ଆମକୁ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ୍‌ ଦେଇ ଗତ ୧୦ ବର୍ଷ ବିକାଶଧାରାକୁ ଆଗେଇ ନେବାକୁ ପଡିବ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କହିଥିଲେ । ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିଲେ ଆଗାମୀ ନିର୍ବାଚନରେ ଆପଣ କଂଗ୍ରେସ ଦଳର ବିଧାୟକ ଏବଂ ସାଂସଦଙ୍କୁ ହାତ ଚିହ୍ନରେ ଭୋଟ୍‌ ଦିଅନ୍ତୁ ଦେଖିବେ ବଲାଙ୍ଗିରର ଛାତ୍ର ଓ ଯୁବକଙ୍କୁ ନିଶ୍ଚିତ ଭାବେ ଉତ୍ତମ ଶିକ୍ଷା ଓ ରୋଜଗାର ପାଇଁ ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଆମେ ନିଶ୍ଚିତ ସଫଳ ହେବା । ସଭାରେ ଶ୍ରୀ ମିଶ୍ର ରାଜ୍ୟରେ କଂଗ୍ରେସ ସରକାର ଆସିଲେ ଏସ୍‌ଏଚ୍‌ଜି ଗୃପ ଋଣ ମାଫ, ବାର୍ଦ୍ଧକ୍ୟ ବିକଳାଙ୍ଗ, ବିଧବା ଭତ୍ତାକୁ ଦୁଇ ଗୁଣିତ କରାଯିବ, ଧାନର ସର୍ବନିମ୍ନ ମୁଲ୍ୟ ୩ ହଜାର ଟଙ୍କା ବୃଦ୍ଧି କରାଯିବ, ବେକାରୀ ଯୁବକ, ଯୁବତିଙ୍କୁ ବେକାରୀ ଭତ୍ତା ୩ ହଜାର ଟଙ୍କା ଓ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସର ଲୋଇସିଂହା ବିଧାନସଭା ପ୍ରାର୍ଥୀ ଓମ୍‌ ପ୍ରକାଶ କୁମ୍ଭାର, କଂଗ୍ରେସ ନେତା ଶିବ ସାହୁ, ସୁରେନ୍ଦ୍ର ଅଶ୍ୱପାଲ, ବୁଲୁ ଖାନ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

8 − five =