ଜଳସେଚନରୁ ବଂଚିତ ଲୋଇସିଂହା ଓ ଆଗଲପୁର ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କୁ ନେଇ ମାନସ ବିହାର ରୁଗୁଡିଖାଲ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷକ ସଂଘର୍ଷ ସମିତିର ସଭାପତି ରତ୍ନାକର ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହି ନିଜ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ଦଳ ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ କୁମ୍ଭାର ନିଜ ବକ୍ତ୍ୟବ୍ୟରେ ପ୍ରକାଶ କରନ୍ତିଛନ୍ତି ଯେ, ପ୍ରକଳ୍ପର ବାମ ଓ ଡାହାଣ କେନାଲ୍‌ ଦ୍ୱାରା ୩୦ ଓ ୭୦ ପ୍ରତିଶତ ଜଳସେଚନ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା । କିନ୍ତୁ ପରିତାପର ବିଷୟ ୧୮ଗୋଟି ପଂଚାୟତର ଚାଷୀମାନେ ଜଳସେଚନ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ନିଜେ ନିର୍ବାଚିତ ହୋଇ ବିଧାନସଭାକୁ ଗଲେ ଉକ୍ତ ପ୍ରସଙ୍ଗ ବିଧାନସଭାରେ ପ୍ରଥମେ ଉଠାଇବେ ବୋଲି କହିଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ନିହାର ବେହେରା ନିଜ ବକ୍ତ୍ୟବ୍ୟରେ କହିଛନ୍ତି ଯେ, ୧୮ ଗୋଟି ପଂଚାୟତ ଜଳସେଚନରୁ ବାଦ ପଡୁଛି । ଯେତେବେଳେ ଡିପିଆର୍‌ ପ୍ରସ୍ତୁତ ହେଲା ସବୁ ଅଂଚଳକୁ ଜଳସେଚନର ପଦକ୍ଷେପ ନିଆଯାଇ ଥିଲା । କିନ୍ତୁ ଡିପିଆର୍‌ ପରିବର୍ତ୍ତନ ପରେ ଉକ୍ତ ପଂଚାୟତ ଗୁଡିକ ବାଦ ପଡିଛି । ବିକଳ୍ପ ଭାବେ ସୁକତେଲ ଓ ଅଙ୍ଗନଦୀରୁ ମେଗା ପ୍ରକଳ୍ପ ଜରିଆରେ ବାଦ ପଡୁଥିବା ପଂଚାୟତ ମାନଙ୍କୁ ଜଳସେଚନର ବ୍ୟବସ୍ଥା କରିବା ସହ ବିଧାନସଭାକୁ ନିର୍ବାଚିତ ହୋଇ ଗଲେ ଅନ୍ୟାନ୍ୟ ଉନ୍ନୟନମୂଳକ କାମ କରିବାପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରକାଶ କରିଥିଲେ, ସେ ଅତୀତରେ ଅନେକ ଥର ଉକ୍ତ ବିଷୟରେ ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କରି ମଧ୍ୟ ସନ୍ତୋଷ ଜନକ ଉତ୍ତର ପାଇପାରି ନାହାନ୍ତି । ଓଡିଶାରେ ଭାଜପା ସରକାର ଗଠନ ହେଲେ ଡିପିଆର୍‌ରେ ସଂଶୋଧନ କରିବା ସଂଗେ ବାଦ ପଡୁଥିବା ପଂଚାୟତ ମାନଙ୍କୁ ଜଳସେଚନର ସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଦୃଢ ପଦକ୍ଷେପ ନେବେ ବୋଲି କହିଥିଲେ । ଆହୁରି ଦୁଇ ପ୍ରାର୍ଥୀ ଲାଲମନ ନାଗ ଓ ସରୋଜ ସୁନା ଉପସ୍ଥିତ ରହି ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଅଂଚଳର ବହୁ ସଂଖ୍ୟକ ଚାଷୀ ସହ ସମିତିର ସମସ୍ତ ସଦସ୍ୟ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.