
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପିଡବ୍ଲ୍ୟୁଡ଼ି ଡିଭିଜନ ଅଧୀନରେ ଧନୁଯାତ୍ରା ଗେଟ୍ ନିର୍ମାଣରେ ଦୁର୍ନୀତି, ନିମ୍ନମାନର କାମ ଏବଂ ଅଫଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ଥାନା ଛକଠାରେ ପିଡବ୍ଲ୍ୟୁଡ଼ି ବିଭାଗ ଦ୍ୱାରା ନିର୍ମିତ ଧନୁଯାତ୍ରା ଗେଟ୍ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି । ଏହି ଗେଟ୍ ଭାଙ୍ଗିବା ଯୋଗୁଁ ଦୁଇ ଜଣ ବ୍ୟକ୍ତି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ନୂଆ ନିର୍ମାଣ ହୋଇଥିବା ଗେଟ୍ ଏଭଳି ଭାଙ୍ଗିଯିବା ସରକାରୀ ପାଣ୍ଠିର ଅପବ୍ୟବହାର, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ଚରମ ଅବହେଳାକୁ ଦର୍ଶାଉଛି ବୋଲି କହିଛନ୍ତି ବରଗଡ ସାଂସଦ । ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ଜଣାଶୁଣା । ଏଭଳି ଘଟଣା ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି । ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନର ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ଏହି ଘଟଣାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ପ୍ରଦୀପ ପୁରୋହିତ । ବରଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ଧନୁଯାତ୍ରା ଗେଟ୍ର ନିମ୍ନମାନର ନିର୍ମାଣ, ଦୁର୍ନୀତି ଏବଂ ଅଫ୍ଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଗତ ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡ଼ ଥାନା ଛକଠାରେ ନିର୍ମିତ ‘ଧନୁଯାତ୍ରା ଗେଟ୍’ ଭାଙ୍ଗିଯିବା/କ୍ଷତିଗ୍ରସ୍ତ ହେବା ଘଟଣା ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନିକଟରେ ନିର୍ମିତ ଏକ ଗେଟ୍ ଏଭଳି ଭାବେ ଭାଙ୍ଗିଯିବା ଦର୍ଶାଉଛି ଯେ, ଏଥିରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି, ସରକାରୀ ପାଣ୍ଠିର ଅପବ୍ୟୟ ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା ସହ ବୁଝାମଣା କରାଯାଇଛି । ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭିଡ଼ କମ୍ ଥିବା ସମୟରେ ଏହା ଘଟିଥିବାରୁ ବଡ଼ ବିପଦ ଏଡ଼ିଯାଇଛି, ନଚେତ୍ ଅନେକ ଜୀବନ ଯାଇଥାନ୍ତା । ଧନୁଯାତ୍ରା ହେଉଛି ବିଶ୍ୱର ସବୁଠାରୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ । ଅଫ୍ଲାଇନ୍ ଟେଣ୍ଡରରେ ଅନିୟମିତତା ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ବରଗଡ଼ ପୂର୍ତ୍ତ ବିଭାଗର ଅଫ୍ଲାଇନ୍ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଆର୍ଥିକ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ଘଟଣାରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ।