om academy

ଅଶ୍ଵିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପଦ ମିଳିବା ପରେ ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ ରହିବା ନେଇ ଅଞ୍ଚଳବାସୀ ଆଶାବାଦୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ବହୁ ବାର ଦାବୀ କରିବା ପରେ ମଧ୍ୟ ବାରମ୍ବାର ରେଳ ବିଭାଗ ଦେଓଗାଁବାସୀଙ୍କୁ ପ୍ରତାରଣ କରିଚାଲିଛି । ଏବେ ନୂତନ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଓଡ଼ିଶାର ଅଶ୍ଵିନୀ ବୈଷ୍ଣବ ପଦ ପାଇବା ପରେ ଓଡ଼ିଶାରେ ରେଳ ବିଭାଗର ବିକାଶ ହେବା ଆଶା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ଗୁରୁତ୍ଵ ଦେବା ପରେ ଅଧିକ ଆଶା ଉଜ୍ଜୀବିତ ହୋଇଛି ଦେଓଗାଁବାସୀଙ୍କ ଉପରେ । ଦେଓଗାଁ ରେଳ ଷ୍ଟେସନରେ ଦ୍ରୁତଗାମୀ ରେଳ ଅଟକାଇବା ବିଷୟରେ ନୂଆଁ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ଯଥା ଶୀଘ୍ର ଦେଓଗାଁ ଷ୍ଟେସନରେ ରେଳ ରହିବାର ସମ୍ଭାବନା ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।
ସୂଚନା ଯୋଗ୍ୟ ଯେ, ଗତ ୨୦୧୮ମସିହା ଅଗଷ୍ଟ ୩ତାରିଖ ଦିନ ହଜାର ହଜାର ଜନସାଧାରଣ ଦେଓଗାଁ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ନେଇ ଦୀର୍ଘ ସମୟ ରାସ୍ତା ରୋକ କରିଥିଲେ । ସେହିଦିନ ୧ଟା ପରେ ରେଳ ବିଭାଗ ପକ୍ଷରୁ ଅତିରିକ୍ତ ଆଞ୍ଚଳିକ ଯନ୍ତ୍ରୀ ଆସି ମାତ୍ର ୭ ଦିନ ଭିତରେ ୧୮୩୦୧/ ୧୮୩୦୨ ତପସ୍ୱିନୀ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଅନ୍ୟତ୍ତମ ଦାବୀ ପୁରୀ ଦୁର୍ଗ ଏକ୍ସପ୍ରେସ ରହଣି ପାଇଁ ଡିଆରଏମ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣାଇବେ ବୋଲି କହିବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା । ସେହି ପ୍ରତିଶୃତି ରେଳ ବିଭାଗର ମନେ ନ ପଡ଼ିବାରୁ ପୁଣି ୧୭।୨।୧୯ରୁ ୧୯ ପର୍ଯ୍ୟନ୍ତ ଷ୍ଟେସନ ସମ୍ମୁଖରେ ଧାରଣା ଦେବା ପରେ ୨୦ ତାରିଖ ଦିନ ରେଲରୋକ ହୋଇଥିଲା । ପୂର୍ବପରି ସେହିଦିନ ଦେଓଗାଁ, ଗୁଡ଼ଭେଲା ଓ ସଇଁନ୍ତଲା ବ୍ଲକ ଅଞ୍ଚଳରୁ ଶତାଧିକ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ସାମିଲ ହୋଇ ଏକ୍ସପ୍ରେସ ଟ୍ରେନ ନ ରହିବା ପର୍ଯ୍ୟନ୍ତ ରାସ୍ତା ରୋକ ଆନ୍ଦୋଳନ ବନ୍ଦ କରାଯିବ ନାହିଁ ବୋଲି ଜିଦ୍‌ ଧରିଥିଲେ । ସେହିଦିନ ମଧ୍ୟ ଏସିଏମ୍‌ ଅର୍ଥାତ ଅତିରିକ୍ତ ବାଣିଜ୍ୟ ପରିଚାଳକ ଓ ବାଣିଜ୍ୟ ନିରୀକ୍ଷକ ଆସି ପୁଣି ୭ ଦିନ ମଧ୍ୟରେ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇ ଯାଇଥିଲେ ମଧ୍ୟ ଗାଡ଼ି ରହିବା ବିଷୟରେ ରେଳ ବିଭାଗର କୌଣସି ସୂଚନା ନାହିଁ । ବର୍ତ୍ତମାନ ସବୁ ପ୍ରକାର ବ୍ୟବସ୍ଥା ଓ ସୁବିଧା ଥିଲେ ମଧ୍ୟ ଜାଣି ଶୁଣି ରେଳ ବିଭାଗ ଦେଓଗାଁରେ ଏକ୍ସପ୍ରେସ ଟ୍ରେନ ରହଣୀ ହେଉନାହିଁ ବୋଲି ଅସନ୍ତୋଷ ଲାଗି ରହିଥିଲା । ତେଣୁ ବର୍ତ୍ତମାନ ଦେଓଗାଁ ଷ୍ଟେସନରେ ଏକ୍ସପ୍ରେସ ରହଣୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା ଥିବାରୁ ତୁରନ୍ତ ରହିବାକୁ ନିର୍ଦେଶ ଦେବାକୁ ବୁଦ୍ଧିଜୀବୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.