
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଲଛିପୁର ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ୍ କରିଛି । ଏହି ବିଜୟ ପରେ ସଂଗଠନ ପକ୍ଷରୁ ଏକ ଭବ୍ୟ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ସଭାପତି ଭାବରେ ନିକିତା ମହାଲିଙ୍ଗ, ସହ-ସମ୍ପାଦକ ରସାନନ୍ଦ ସୁନା, ସାଂସ୍କୃତିକ ବିଭାଗ ସମ୍ପାଦକ ଭାବେ ପ୍ରିୟଙ୍କା ବଗର୍ତ୍ତୀ ଏବଂ କ୍ରୀଡ଼ା ବିଭାଗ ସମ୍ପାଦକ ଭାବେ ବିବେକ ନାଗ ବିଜୟୀ ହୋଇଛନ୍ତି । ଫଳାଫଳ ଘୋଷଣା ପରେ ସ୍ଥାନୀୟ ଜନସାଧାରଣ ଓ ଏବିଭିପି କର୍ମକର୍ତ୍ତାଙ୍କ ପକ୍ଷରୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉପଲକ୍ଷେ କଲେଜର ମୁଖ୍ୟ ଫାଟକ ନିକଟରୁ ସ୍ଥାନୀୟ ହନୁମାନ ମନ୍ଦିର ମଣ୍ଡପ ପର୍ଯ୍ୟନ୍ତ ଏକ ବିଶାଳ ବିଜୟ ଶୋଭାଯାତ୍ରା ବାହାରିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ତଥା ଯୁବକର୍ମୀ ସାମିଲ ହୋଇଥିଲେ ।